କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଉଭୟ ଆଞ୍ଚଳିକ ଦଳ ନ୍ୟାସନାଲ କନଫେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛି। ଏସମ୍ପର୍କରେ ଅଧିକ ଆଲୋଚନା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ଶ୍ରୀନଗରରେ ପହଞ୍ଚିଛନ୍ତି। ବିଭିନ୍ନ ଦଳର ନେତାଙ୍କ ସହ ରାହୁଲ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି। ଇଣ୍ଡି ମେଣ୍ଟ ମୋଦୀଜୀଙ୍କ ଆତ୍ମବିଶ୍ବାସ ଦୋହଲାଇ ଦେଇଛି ବୋଲି କହିଛନ୍ତି ରାହୁଲ ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜାମ୍ମୁ କାଶ୍ମୀରକୁ ପ୍ରଥମ ଗସ୍ତରେ ଯାଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଠାରେ ଦଳର କର୍ମକର୍ତ୍ତାଙ୍କୁ ଭେଟିଛନ୍ତି। କର୍ମକର୍ତ୍ତାଙ୍କ ମନୋବଳ ବଢାଇବା ପାଇଁ ମେଣ୍ଟ ହେଲେ ମଧ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଇଣ୍ଡି ମେଣ୍ଟ ଅନ୍ତର୍ଭୁକ୍ତ ଫାରୁଖ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫେନ୍ସ ଓ ମେହେବୁବା ମୁଫତିଙ୍କ ନେତୃତାଧୀନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସହ କଂଗ୍ରେସ ମେଣ୍ଟ କିମ୍ବା ଆସନ ବୁଝବଣା କରିବାକୁ ଗୁରୁତର ସହ ବିଚାର କରୁଛି। ପୂର୍ବରୁ ବିଜେପି ସହ ମେଣ୍ଟ କରି ମେହେବୁବା ରାଜ୍ୟରେ ମନ୍ତ୍ରୀମଣ୍ଡଳ ଗଠନ କରିଥିବାରୁ ଫାରୁକ ଅବଦୁଲ୍ଲା ତାଙ୍କ ସହ କୌଣସି ପ୍ରକାର ରାଜନୈତିକ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥିତିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସମ୍ପର୍କରେ ଥିବା ରାହୁଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ମେଣ୍ଟ ନହୁଏ ତାହେଲେ ମେହେବୁବା କିମ୍ବା ତାଙ୍କ ଝିଅ ଇଲତିଜା ଲଢୁଥିବା ଆସନରେ କଂଗ୍ରେସ ଓ ନ୍ୟାସନାଲ କନଫେନ୍ସ ପ୍ରାର୍ଥୀ ଦେଇନପାରେ।
ଏନଡିଏ ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲା। ପୂର୍ବରୁ ୨୦୧୪ ଡିସେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚନରେ ପିଡିପି ୨୮, ନ୍ୟାସନାଲ କନଫେନ୍ସ ୧୫, ବିଜେପି ୨୫ ଓ କଂଗ୍ରେସ ୧୨ଟି ଆସନରେ ଜିତିଥିଲା। ପିଡିପି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇ ମୁଫତି ମହମ୍ମଦ ସୟଦଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ୨୦୧୬ ଜାନୁଆରୀ ୭ରେ ମୁଫତିଙ୍କ ଦେହାନ୍ତ ପରେ ତାଙ୍କ ଝିଅ ମେହେବୁବାଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ବିଜେପି ପୁଣି ଥରେ ମିଳିତ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲା। ମାତ୍ର ୨୦୧୮ରେ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ସେବେଠୁ ବିଧାନସଭା ଭଙ୍ଗ ହୋଇଛି। ଏବେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ।