କନକ ବ୍ୟୁରୋ : କୁଖ୍ୟାତ ଅପରାଧୀକୁ ମାରିଦେଲେ । ପାରୋଲ୍ରେ ଆସିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଖାସ୍ କରି ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ଏବେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ବି ଘେରିଛନ୍ତି । ସୂଚନା ଅନୁସାରେ, ବିହାରର ରାଜଧାନୀ ପାଟନାରେ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ସହରର ବ୍ୟସ୍ତବହୁଳ ରାଜା ବଜାର ସ୍ଥିତ ପାରସ୍ ହସ୍ପିଟାଲ ପରିସରରେ ପଶି ଦୁର୍ବୃତ୍ତମାନେ ଜଣେ କୁଖ୍ୟାତ ଅପରାଧୀକୁ ଗୁଳି କରି ହତ୍ୟା କରିଛନ୍ତି ।
ମୃତ ଅପରାଧୀ ହେଉଛନ୍ତି ଚନ୍ଦନ ମିଶ୍ର । କଥାହେଲା, ଚନ୍ଦନ ଏକ ହତ୍ୟା ମାମଲାରେ ବେଉର ଜେଲରେ ସଜା କାଟୁଥିଲା ଏବଂ ଚିକିତ୍ସା ପାଇଁ ପାରୋଲରେ ଆସିଥିଲା । ଆଉ ଏହି ସମୟରେ ହିଁ ତାକୁ ହତ୍ୟା କରାଯାଇଛି । ଘଟଣା ଘଟିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭:୩୦ ସମୟରେ ଏହି ଘଟଣା ଘଟିଥିଲା । ଚନ୍ଦନ ମିଶ୍ର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ପାରସ୍ ହସ୍ପିଟାଲର ଦ୍ୱିତୀୟ ମହଲାରେ ଥିବା ୨୦୯ ନମ୍ବର କୋଠରୀରେ ଚିକିତ୍ସାଧୀନ ଥିଲା । ଏହି ସମୟରେ ଚାରିଜଣ ଦୁର୍ବୃତ୍ତ ହସ୍ପିଟାଲ ଭିତରକୁ ପ୍ରବେଶ କରି ଚନ୍ଦନ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଚନ୍ଦନର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗୁଳିକାଣ୍ଡ ପରେ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ସେପଟେ ପୂରା ଘଟଣାରେ ପୁଲିସ ପ୍ରତିକ୍ରିୟା ରଖିଛି । କହିଛି, ଏହି ଘଟଣାରେ ୫ ଜଣ ଅପରାଧୀ ସାମିଲ ଥିଲେ । ୪ ଜଣ ମେଡିକାଲ ଭିତରକୁ ଆସିଥିବା ବେଳେ ବାହାରେ ଆଉ ଜଣେ ଅପରାଧୀ ଅପେକ୍ଷା କରିରହିଥିଲା ।
ମୃତ ଚନ୍ଦନ ମିଶ୍ର ବକ୍ସର ଜିଲ୍ଲାର ବାସିନ୍ଦା ଏବଂ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା । ତା' ନାଁରେ ପୂର୍ବରୁ ହତ୍ୟା ଭଳି ଏକାଧିକ ସଙ୍ଗିନ ମାମଲା ରୁଜୁ ହୋଇଥିଲା । ପୁଲିସ୍ର ପ୍ରାଥମିକ ତଦନ୍ତରୁ ଏହା ଗ୍ୟାଙ୍ଗୱାରର ପରିଣାମ ବୋଲି ସନ୍ଦେହ କରାଯାଉଛି ।ବିରୋଧୀ ଗ୍ୟାଙ୍ଗର ସଦସ୍ୟମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ପାଟନାର ବରିଷ୍ଠ ପୁଲିସ୍ ଅଧୀକ୍ଷକ କାର୍ତ୍ତିକେୟ କେ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପୁଲିସ୍ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ଏବଂ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ବକ୍ସର ପୁଲିସ୍ର ସହାୟତା ନିଆଯାଉଛି । କେନ୍ଦ୍ରୀୟ ରେଞ୍ଜର ଆଇଜି ଜିତେନ୍ଦ୍ର ରାଣା କହିଛନ୍ତି ଯେ ଏହି ଘଟଣାରେ ପୁଲିସ୍ ସୁରକ୍ଷାକର୍ମୀଙ୍କ ସମ୍ପୃକ୍ତିକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ଏବଂ ସେହି ଦିଗରେ ମଧ୍ୟ ତଦନ୍ତ କରାଯିବ । କଥା ହେଲା, ଏତେ କଡ଼ା ସୁରକ୍ଷା ମଧ୍ୟରେ ଥିବା ହସ୍ପିଟାଲ ଭିତରେ ପଶି ଜଣେ ପାରୋଲରେ ଥିବା କଏଦୀକୁ ହତ୍ୟା କେମିତି କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ, ଏହି ଘଟଣାକୁ ନେଇ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ପ୍ରଶ୍ନ କରିଛନ୍ତି ଯେ ଯଦି ହସ୍ପିଟାଲରେ କେହି ସୁରକ୍ଷିତ ନୁହନ୍ତି, ତେବେ ବିହାରରେ ସୁରକ୍ଷିତ କିଏ?