କନକ ବ୍ୟୁରୋ : ପାକିସ୍ତାନରେ ପାକିସ୍ତାନୀ ସୈନ୍ୟ ଯାଉଥିବା ଟ୍ରେନକୁ ପୁଣି ବଲୁଚି ବିଦ୍ରୋହୀଙ୍କ ଟାର୍ଗେଟ୍ । ଟ୍ରେନ୍ ଟ୍ରାକରେ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ ଯୋଗୁ ୬ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର ମୃତ୍ୟୁ ନେଇ ସୂଚନା ମିଳି ନଥିଲେ ମଧ୍ୟ ବହୁଲୋକ ଆହତ ହୋଇଛନ୍ତି ।

Advertisment

ପାକିସ୍ତାନରେ ପୁଣି ଜାଫର ଏକ୍ସପ୍ରେସକୁ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍- ଆଇଇଡି ବିସ୍ଫୋରଣ ଦ୍ୱାରା ଟାର୍ଗେଟ୍ କରାଯାଇଛି । ପାକିସ୍ତାନୀ ଯବାନଙ୍କୁ ନେଇ ଟ୍ରେନଟି ବଲୁଚିସ୍ତାନ ଅଭିମୁଖେ ଯାଉଥିଲା । ହଠାତ୍ ସୁଲତାନପୁର ନିକଟରେ ଟ୍ରାକରେ ବିସ୍ଫୋରଣ ହୋଇଛି । ଏଥିରେ ଜାଫର ଏକ୍ସପ୍ରେସର ୬ଟି କୋଚ୍ ଲାଇନଚ୍ୟୁତ ହୋଇଛି । କାହାରି ମୃତ୍ୟୁ ହୋଇ ନଥିଲେ ମଧ୍ୟ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷାବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ସାମାଜିକ ଗଣମାଧ୍ୟମରେ ବିସ୍ଫୋରଣ ପରର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି । ଏହି ଆଇଇଡି ବିସ୍ଫୋରଣ ପାଇଁ ବଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ- ବଲୁଚିସ୍ତାନ ରିପବ୍ଲିକ ଗାର୍ଡସ୍- ବି.ଆର.ଜି ନଜକୁ ଦାୟୀ କରିଛି । ବି.ଆର.ଜି କହିଛି, ଟ୍ରେନରେ ପାକିସ୍ତାନୀ ସେନା କର୍ମଚାରୀ ଯାତ୍ରା କରୁଥିବାରୁ ଏହାକୁ ଟାର୍ଗେଟ୍ କରାଯାଇଥିଲା । ବି.ଆର୍.ଜି ପୂର୍ବରୁ ମଧ୍ୟ ପାକିସ୍ତାନୀ ସୈନ୍ୟ ଯାଉଥିବା ଜାଫର ଏକପ୍ରେସକୁ ଟାର୍ଗେଟ୍ କରିଥିଲା । ବହୁ ଯବାନ ପ୍ରାଣ ହରାଇଥିଲେ ଓ ଆହତ ହୋଇଥିଲେ । ବହୁ କ୍ଷୟକ୍ଷତି ହୋଇଥିଲା । ବଲୁଚିସ୍ତାନରେ ପାକିସ୍ତାନୀ ସେନା ଦମନଲୀଳା ଚଳାଇଛି । ଏହାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନୀ ସେନା ଉପରେ ବଲୁଚି ବିଦ୍ରୋହୀ ବାରମ୍ବାର ଆକ୍ରମଣ କରୁଛନ୍ତି । ବଲୁଚ୍ ରିପବ୍ଲିକ୍ ଗାର୍ଡସ୍- ବି.ଆର.ଜି ଏକ ବିବୃତିରେ କହିଛି ଯେ ବଲୁଚିସ୍ତାନକୁ ସ୍ୱାଧୀନତା ମିଳିବା ପର୍ଯ୍ୟନ୍ତ ଏପରି କାର୍ଯ୍ୟ ଜାରି ରହିବ ।