କନକ ବ୍ୟୁରୋ : ଯୁଦ୍ଧ ପରିସ୍ଥିତି ସମୟରେ ପାକିସ୍ତାନର ବୟାନ ଚର୍ଚ୍ଚା ବଢାଇଛି । ଆମେରିକା ରାଷ୍ଟ୍ରପତିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭୂରୀଭୂରୀ ପ୍ରଶଂସା କରିବା ସହ ଏପରି କିଛି କହିଛନ୍ତି ଯାହାକୁ ନେଇ ଟ୍ରମ୍ପଙ୍କ ମୁହଁରେ ହସ ଫୁଟିପଡିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ଗୋଟିଏ କଥା ଦାବି କରିଆସିଛନ୍ତି । ତାହା ହେଉଛି ସେ ବିଶ୍ୱର ଅନେକ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅର୍ଥାତ୍ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇବା ଦିଗରେ ଟ୍ରମ୍ପଙ୍କ ବଡ ଭୂମିକା ରହିଛି ବୋଲି ସେ ଅନେକ ଥର ଦାବି କରିଆସିଛନ୍ତି । ଖାସକରି ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ଅନେକ ସମୟରେ ଦାବି କରିଆସିଛନ୍ତି । ଏହାରି ଭିତରେ, ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବରେ ପ୍ରସ୍ତାବ ଦେଇଛି । ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଯୋଗୁଁ ତାଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତ ସହିତ ଯୁଦ୍ଧବିରତି ଆଣିବାରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପାକିସ୍ତାନ ପ୍ରଶଂସା କରିଛି । ପାକିସ୍ତାନ କହିଛି, ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇପାରିଛି ଏବଂ ଏକ ବଡ଼ ବିପଦକୁ ଏଡାଯାଇପାରିଛି । ତେଣୁ ସେ ଏହି ପୁରସ୍କାରର ପ୍ରକୃତ ହକଦାର୍, କିନ୍ତୁ ଟ୍ରମ୍ପ ଏହି ପୁରଷ୍କାର ଚାହାନ୍ତି ନାହିଁ । ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ମୁଁ ଆପଣଙ୍କୁ ଏହା କହି ଖୁସି ଯେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ, ଆମେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଏବଂ ରୱାଣ୍ଡା ଗଣରାଜ୍ୟ ମଧ୍ୟରେ ଏକ ଶାନ୍ତି ଚୁକ୍ତି ମଧ୍ୟସ୍ଥତା କରିଛୁ । ଉଭୟଙ୍କ ମଧ୍ୟରେ ଦଶନ୍ଧି ଧରି ଯୁଦ୍ଧ ରକ୍ତପାତ ପାଇଁ ଜଣାଶୁଣା । ଏହା ଆଫ୍ରିକା ପାଇଁ ଏକ ମହାନ ଦିନ ଏବଂ ବିଶ୍ୱ ପାଇଁ ମଧ୍ୟ ଏକ ମହାନ ଦିନ, କିନ୍ତୁ ଏଥିପାଇଁ ମୁଁ କେବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଶା କରିନି । ଟ୍ରମ୍ପ ଆହୁରି କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ । ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ବି ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ । ସେହିପରି ମିଶର ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ ।