Pakistan PM Photograph: (Kanak News)
କନକ ବ୍ୟୁରୋ : ପୁଣି ବିଳିବିଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । କହିଲେ, ଭାରତ ବୁନ୍ଦେ ବି ପାଣି ଆମଠୁ ଛଡ଼ାଇପାରିବନି । ଆମର ଯେତିକି ପାଣି ଦରକାର ଆମେ ସେତିକି ପାଇବୁ। ହେଲେ ସେ ମନେ ରଖିବା ଦରକାର ଭାରତ ଯଦି ପାଣି ନଛାଡ଼େ ତେବେ ପାକିସ୍ତାନ ପାଣି ବିନା ମରିଯିବ । ହେଲେ ଏମିତି ବାହାସ୍ଫୋଟ ସେ କେମିତି ମାରିଲେ ତାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି ।
ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ସେ କହିଛନ୍ତି, ଯଦି ସିନ୍ଧୁ ଜଳ ଚୁକ୍ତିକୁ ଏକପାଖିଆ ଭାବେ ସ୍ଥଗିତ ରଖାଯାଏ ତେବେ ପାକିସ୍ତାନ ଏହାର ଦୃଢ଼ ଜବାବ ଦେବ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧୯୬୦ ମସିହାର ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହା ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ହାତ ଥିବା ଭାରତ ଅଭିଯୋଗ କରିଛି । ଖାଲି ଅଭିଯୋଗ କରିଛି ତାହା ନୁହେଁ ବରଂ ଅନ୍ତର୍ଜାତୀୟସ୍ତରରେ ରିପୋର୍ଟ ବି ଦେଇଛି ।
ଏକ ସଭାକୁ ସମ୍ବୋଧିତ କରି ଶେହବାଜ ସରିଫ କହିଛନ୍ତି, ଶତ୍ରୁ ଆମ ଦେଶରୁ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ନେଇପାରିବ ନାହିଁ । ସେ ଆହୁରି ମଧ୍ୟ ଧମକ ଦେଇ କହିଛନ୍ତି, ଯଦି ତୁମେ ଆମକୁ ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ମନେରଖ ଯେ ପାକିସ୍ତାନ ତୁମକୁ ଏପରି ଶିକ୍ଷା ଦେବ ଯାହା ତୁମେ କେବେବି ଭୁଲି ପାରିବ ନାହିଁ । ହେଲେ ସେ ଭୁଲିଯାଉଛନ୍ତି ଅପରେସନ୍ ସିନ୍ଦୂର ପରେ ପ୍ରକୃତ ଶିକ୍ଷା କିଏ ପାଇଥିଲା ।
ଏହି ପ୍ରସଙ୍ଗରେ କେବଳ ଶେହବାଜ ସରିଫ ନୁହନ୍ତି, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଧମକ ଦେଇଥିଲେ। ଜେନେରାଲ ମୁନିର କହିଛନ୍ତି ଯେ ଯଦି ଭାରତ କୌଣସି ବନ୍ଧ ନିର୍ମାଣ କରି ପାକିସ୍ତାନକୁ ଜଳ ପ୍ରବାହ ବନ୍ଦ କରେ ତେବେ ଇସଲାମାବାଦ ସେହି ବନ୍ଧକୁ ଧ୍ୱଂସ କରିଦେବ। ସେହିପରି ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ ଯଦି ପାଣି ସଠିକ୍ ଭାବେ ବଣ୍ଟା ନଯାଏ ତେବେ ପାକିସ୍ତାନ ସମସ୍ତ ଛଅଟି ନଦୀକୁ ନିଜ ଅକ୍ତିଆରକୁ ନେବ । କଥାହେଲା, ପାକିସ୍ତାନ ଭାରତ ସହ ଯେବେ ଯେବେ ଲାଗିଛି ସେବେ ସେବେ ପାନେ ପାଇଛି । ଏହାପରେ ବି ପାକିସ୍ତାନର ପ୍ରଧାନମନ୍ତ୍ରୀ ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
Follow Us