କନକ ବ୍ୟୁରୋ: ଚାଟ୍ ଜିପିଟିରେ ଆଗକୁ ଚାଟିଂ ସହ କରିପାରିବେ ସପିଂ । NPCI ଏବଂ Razorpay ସହଯୋଗରେ OpenAI, ChatGPTରେ UPI ପେମେଣ୍ଟ ଫିଚର୍ସର ପରୀକ୍ଷଣ ଆରମ୍ଭ କରିଛି । ଏହାଦ୍ବାରା ବ୍ୟବହାରକାରୀମାନେ ଏବେ ଚାଟ୍ ମଧ୍ୟରେ ପେମେଣ୍ଟ କରିପାରିବେ, ଯାହା ଫଳରେ ସେମାନେ ଚାଟ୍ କରିବା ସମୟରେ BigBasket ଭଳି ୱେବସାଇଟରୁ ମନ ପସନ୍ଦର ସପିଂ କରିପାରିବେ ।
ବଡ଼କଥା ହେଉଛି ଭାରତରେ ChapGPTର UPI ପାଇଲଟ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି । OpenAI କମ୍ପାନି କହିଛି ଯେ ଏହି ପାଇଲଟ୍ ପ୍ରୋଗ୍ରାମ୍ ଜରିଆରେ AI ଏଜେଣ୍ଟମାନେ କିପରି ସ୍ୱଚ୍ଛ ଏବଂ ସୁରକ୍ଷିତ ଉପାୟରେ ଆର୍ଥିକ କାରବାର କରିପାରିବେ ତାହାକୁ ଅନୁଧ୍ୟାନ କରାଯାଉଛି । ଏହି ପାଇଲଟ୍ ପ୍ରୋଗ୍ରାମରେ ChapGPTକୁ UPI ନେଟୱାର୍କ ସହିତ ଯୋଡ଼ା ଯାଇଛି ଯାହା ଚାଟ୍ ସମୟରେ ସପିଂ କରିବାକୁ ଅନୁମତି ଦେବ । OpenAI ବର୍ତ୍ତମାନ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏବଂ ପ୍ଲାଟଫର୍ମ ପାଇଁ ଆରମ୍ଭ କରିବାକୁ ଯାଉଛି ।
ଟାଟା ଗ୍ରୁପ୍ର ଇ-କମର୍ସ କମ୍ପାନି ବିଗବାସ୍କେଟ୍ ହେଉଛି ଚାଟ୍ ଜିପିଟି ସପିଂ କରିବାରେ ପ୍ରଥମ ପ୍ଲାଟଫର୍ମ । ଆକ୍ସିସ୍ ବ୍ୟାଙ୍କ ଏବଂ ଏୟାରଟେଲ୍ ପେମେଣ୍ଟସ୍ ବ୍ୟାଙ୍କ ବ୍ୟାଙ୍କିଂ ପାର୍ଟନର ଭାବରେ ପାଇଲଟ୍ ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି । OpenAIର ଅନ୍ତର୍ଜାତୀୟ ଷ୍ଟ୍ରାଟେଜି ନିର୍ଦ୍ଦେଶକ ଅଲିଭର ଜୟ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି AI ଏବଂ UPI କୁ ମିଶ୍ରଣ କରି ଏକ ସୁରକ୍ଷିତ, ସହଜ ଏବଂ ଇଣ୍ଟରାକ୍ଟିଭ୍ ପେମେଣ୍ଟ ଯୋଗାଇବା ।
ଭାରତର UPI ପ୍ରତି ମାସରେ ୨୦ ବିଲିୟନରୁ ଅଧିକ କାରବାର ହେଉଛି । ଏହା ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଡିଜିଟାଲ୍ ପେମେଣ୍ଟ୍ ନେଟୱାର୍କ ମଧ୍ୟରୁ ଗୋଟିଏ । ତେଣୁ OpenAI ଏବଂ NPCI ମଧ୍ୟରେ ଭାରତୀୟ ଫିନଟେକ୍ ପ୍ରଯୁକ୍ତିବିଦ୍ୟା ଏବେ ବିଶ୍ୱସ୍ତରୀୟ AI ପ୍ଲାଟଫର୍ମର ଅଂଶ ହେବାକୁ ଯାଉଛି । ଏପଟେ ଭାରତରେ ବର୍ତ୍ତମାନ AI-ଆଧାରିତ ପେମେଣ୍ଟ ପାଇଁ ସ୍ପଷ୍ଟ ନିୟାମକ ନିର୍ଦ୍ଦେଶାବଳୀ ଲାଗୁ ହୋଇନି । ଏବେ ଯଦି କୌଣସି କାରବାର ଭୁଲ ହୁଏ, ତେବେ AI କିମ୍ବା ଗ୍ରାହକ ଦୋଷୀ କି ନାହିଁ ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇଯିବ । ତେଣୁ, ସରକାର ଏବଂ RBIକୁ ଏକ AI ଫିନଟେକ୍ ପେମେଣ୍ଟ୍ ନୀତି ଆଣିବାକୁ ହେବ ।
ଏହି ପାଇଲଟ୍ ପ୍ରୋଗ୍ରାମ ସମୟରେ NPCI, Razorpay, ଏବଂ OpenAI ମିଳିତ ଭାବରେ ସୁରକ୍ଷା ଓ ବ୍ୟବହାରର ସହଜତା ଉପରେ ପରୀକ୍ଷା କରିବେ । ଯଦି ଏହା ସଫଳ ହୁଏ, ତେବେ ଏହି ସେବା ଖୁବ୍ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇପାରେ, ଯାହା ChapGPTକୁ ଏକ ଇଣ୍ଟରାକ୍ଟିଭ୍ ସପିଂ ସପୋର୍ଟ ଭାବରେ କାର୍ଯ୍ୟ କରିବ ।