କନକ ବ୍ୟୁରୋ : କୋଲକାତା ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଅଭିଯୋଗ କରିଛନ୍ତି ସେ ଦୁଷ୍କର୍ମ ମାମଲାକୁ ନେଇ ସରକାରଙ୍କୁ ଚିଠି ଲେଖିଥିଲେ ଅଥଚ ତାଙ୍କୁ କୌଣସି ଜବାବ ମିଳିନି । ଏଥିସହ କେନ୍ଦ୍ର ସରକାର କଠୋର ଆଇନ ଆଣନ୍ତୁ ବୋଲି ଦାବି କରିଛନ୍ତି ମମତା ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି ସାକ୍ଷତ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଂଟା ଧରି ଆଲୋଚନା ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗର ବର୍ତମାନ ସ୍ଥିତି, ଦୁର୍ଷ୍କମ ମାମଲାରେ ରାଜ୍ୟ ସରକାର ବିଧାନସଭାରେ ଆଗତ କରିବାଥିବା ମୃତ୍ୟୁଦଣ୍ଡ ବିଲ ଓ ସୁରକ୍ଷା ସ୍ଥିତି ବାବଦରେ କଥା ହୋଇଛନ୍ତି ।

ଏଥିସହ ମମତା ବାନାର୍ଜୀଙ୍କ ବୟାନ ସହ ପଶ୍ଚିମବଙ୍ଗର ସମ୍ପୁର୍ଣ୍ଣ ସ୍ଥିତି ବାବଦରେ ଗୃହମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ରାଜ୍ୟପାଳ । ସେପେଟେ ଚର୍ଚ୍ଚା ସାଉଁଟିଛି ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ମାଆଙ୍କ ବୟାନ । ବୁଧବାର ମମତାଙ୍କ ସେହି ବୟାନକୁ ନେଇ ପୀଡିତାଙ୍କ ମାଆ ଦୁଃଖ ପ୍ରକାଶ ସହ ଆକ୍ରୋଶ ଜାହିର କରିଛନ୍ତି, ଯେଉଁଥରେ ସେ କହିଥିଲେ କି ପୀଡିତାଙ୍କ ପରିବାର ନ୍ୟାୟ ଚାହୁଁନି ।

ତେବେ ଜବାବ ରଖି ପୀଡ଼ିତାଙ୍କ ମାଆ କହିଛନ୍ତି ଯେଉଁଠି ପୂରା ଦେଶ ମୋ ଝିଅ ପାଇଁ ନ୍ୟାୟ ଚାହୁଁଛି ସେଠି ମମତାଙ୍କ ବୟାନ ନିନ୍ଦନୀୟ ଅଟେ । ମମତା ମା’ ହୋଇନାହାଁନ୍ତି । ପୁଅ କି ଝିଅ ହରାଇବାର ପୀଡା ସେ ନା ବଚଝିପାରିବେ ନା ଅନଭୁବ କରିପାରିବେ ।