କନକ ବ୍ୟୁରୋ : ଅପରେସନ୍ ସିନ୍ଦୂରକୁ ନେଇ ଲୋକସଭାରେ ବଡ଼ ବିତର୍କ । ବିବୃତି ଆରମ୍ଭରୁ ସେନାର ପରାକ୍ରମକୁ ସାଲ୍ୟୁଟ କରିବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ଗୃହରେ ଭାରତର ପକ୍ଷ ରଖିବାକୁ ଛିଡ଼ା ହୋଇଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନାହିଁ, ସେମାନଙ୍କୁ ଆଇନ୍ ଦେଖାଇବାକୁ ମୁଁ ଛିଡ଼ା ହୋଇଛି । ଭାରତ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଥିଲା, ଠିକ୍ ସେହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏପ୍ରିଲ ୨୨ରେ ମାତ୍ର ୨୨ ମିନିଟରେ ଆମେ ପ୍ରତିଶୋଧ ନେଇଛୁ । ପାକିସ୍ତାନର କୋଣଅନୁକୋଣରେ ଥିବା ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ । ଯାହା ପରେ ଆତଙ୍କୀଙ୍କ ସର୍ଦ୍ଦାରଙ୍କ ନିଦ ହଜିଯାଇଛି । ଏବେବି ପାକିସ୍ତାନର ଅନେକ ଏୟାରବେସ ଆଇସିୟୁରେ । ଅପରେସନ୍ ସିନ୍ଦୂରକୁ ୧୯୩ ଦେଶ ଆମକୁ ସମର୍ଥନ କରିଛନ୍ତି । କେବଳ ତିନି ଦେଶ ପାକିସ୍ତାନକୁ ସମର୍ଥନ କରିଛନ୍ତି ।
ଲୋକସଭାରେ ଅପରେସନ୍ ସିନ୍ଦୂରକୁ ନେଇ ସରକାର ଓ ବିରୋଧୀ ମଧ୍ୟରେ ଜୋରଦାର ବିତର୍କ । ଅପରେସନ୍ ସିନ୍ଦୂରକୁ ନେଇ ଚୀନ୍ ଓ ପାକ୍ ଅଧିକୃତ କାଶ୍ମୀରକୁ ନେଇ କଂଗ୍ରେସକୁ ଘେରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭୁଲ ପାଇଁ ପିଓକେ ଗଠନ ହେଲା, ସେସବୁର ଟିକିନିକି ତଥ୍ୟ ରଖିଛନ୍ତି ଗୃହମନ୍ତ୍ରୀ । କହିଛନ୍ତି, ଯଦି ପିଓକେର ଆଜି କୌଣସି ଅସ୍ତିତ୍ୱ ଅଛି, ତାହା କେବଳ ନେହରୁଙ୍କ ପାଇଁ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହା ବିରୋଧ କରୁଥିଲେ । କିନ୍ତୁ ପଣ୍ଡିତ ନେହରୁ ମାମଲାକୁ ଜାତିସଂଘ ପର୍ଯ୍ୟନ୍ତ ନେଇ ଏହାକୁ ଅନ୍ତର୍ଜାତୀୟ ବିବାଦର ରୂପ ଦେଇଥିଲେ । ଯାହା ପରେ ୧୯୪୮ର କାଶ୍ମୀର ଯୁଦ୍ଧ ବିରତି ହୋଇଥିଲା କହି ଟାର୍ଗେଟ୍ କରିଛନ୍ତି ଅମିତ ଶାହ ।
ଏପଟେ ଅପରେସନ୍ ସିନ୍ଦୂରକୁ ନେଇ ସରକାରଙ୍କୁ ଘନଘନ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି, ଅପରେସନ୍ ସିନ୍ଦୂର ଆରମ୍ଭରୁ ହିଁ ଆତ୍ମସମର୍ପଣ କରିଦେଇଥିଲେ ସରକାର । ଯଦି ନରେନ୍ଦ୍ର ମୋଦୀଙ୍କ ଭିତରେ ଇନ୍ଦିରା ଗାନ୍ଧୀଙ୍କ ଭଳି ୫୦ ପ୍ରତିଶତ ସାହସ ଥାଏ, ତାହେଲେ ସର୍ବସମ୍ମୁଖରେ କହିଦିଅନ୍ତୁ ଯେ ଯୁଦ୍ଧବିରତିକୁ ନେଇ ମିଛ କହୁଛନ୍ତି । ଶତ୍ରୁ ସହ ଲଢ଼ିବା ପାଇଁ ସରକାରଙ୍କ ପାଖରେ ଲଢ଼ିବାର କୌଣସି ଇଚ୍ଛାଶକ୍ତି ନଥିଲା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/29/pm-modi-parliament-2025-07-29-19-18-04.jpg)