କନକ ବ୍ୟୁରୋ : ବନ୍ଧୁକ ମୁନରେ ଶିଶୁ ଓ ଶିକ୍ଷକଙ୍କୁ ଅପହରଣ । ନାଇଜେରିଆରେ ବନ୍ଧୁକଧାରୀ ଦୁର୍ବୃତ୍ତଙ୍କ ଆତଙ୍କ । କ୍ୟାଥୋଲିକ୍ ସ୍କୁଲରୁ ୨୧୫ ଶିଶୁ ଓ ୧୨ ଜଣ ଶିକ୍ଷକଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ନାଇଜେରିଆର ଆଗ୍ୱାରା ଅଞ୍ଚଳର ପାପିରି ଗାଁରେ ଥିବା ସେଣ୍ଟ ମେରୀ କ୍ୟାଥୋଲିକ୍ ସ୍କୁଲରେ ଆକ୍ରମଣ ସହ ଅପହରଣ ହୋଇଛି । ଏହି ଭୟଙ୍କର ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Advertisment

ଖ୍ରୀଷ୍ଟିଆନ୍ ଆସୋସିଏସନ୍ ଅଫ୍ ନାଇଜେରିଆ ବା କ୍ୟାନର ନାଇଜର ରାଜ୍ୟ ପ୍ରବକ୍ତା ଡେନିୟେଲ୍ ଆଟୋରି କହିଛନ୍ତି, ଶିଶୁଙ୍କୁ ଉଦ୍ଧାର ପାଇଁ ସ୍କୁଲ୍ ଓ ଅଭିଭାବକଙ୍କ ସହ କଥା ହୋଇ ସରକାର ଓ ସେନା ଚେଷ୍ଟା ଜାରି ରଖିଛନ୍ତି । ଆକ୍ରମଣକାରୀମାନେ କିଏ ଏବଂ ଅପହୃତଙ୍କୁ କେଉଁଠାକୁ ନେଇଯାଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବଳକୁ ହାଇ ଆଲର୍ଟ ରଖାଯାଇଛି । ଉଦ୍ଧାର ଅଭିଯାନ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି ।

ନାଇଜେରିଆର ଉତ୍ତର-ମଧ୍ୟ ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ପୂର୍ବରୁ ମଧ୍ୟ ସ୍କୁଲ୍‌ରୁ ବଡ଼ ଧରଣର ଅପହରଣ ଘଟଣା ଘଟିଛି । ଚଳିତ ସପ୍ତାହରେ ହିଁ କେବ୍ବି ରାଜ୍ୟର ମାଗାରେ ଥିବା ଏକ ବୋର୍ଡିଂ ସ୍କୁଲ୍‌ରୁ ୨୫ ଜଣ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା । ଆକ୍ରମଣରେ ଜଣେ କର୍ମଚାରୀ ପ୍ରାଣ ହରାଇଥିଲେ । ଏହି ଘଟଣା ନାଇଜେରିଆରେ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।