କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଶାସକ ଦଳର ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ପରଦା ଖୋଲିଛି । ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ରଖିବା କାରଣରୁ ତାଙ୍କୁ ହତ୍ୟା କରିଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଫେସବୁକରେ ପୋଷ୍ଟ କରି ଗ୍ୟାଙ୍ଗର ଜଣେ ସଦସ୍ୟ ଏସମ୍ପର୍କରେ ସୂଚନା ଦେବା ପରେ ଅଧିକ ଛାନଭିନ କରୁଛି ମୁମ୍ବାଇ ପୁଲିସ ।
ସିନ୍ଧୁ ମୁସେୱାଲାଙ୍କ ଭଳି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏବଂ ବାବା ସିଦ୍ଦିକିଙ୍କ ଭଳି ବରିଷ୍ଠ ନେତାଙ୍କୁ ଗୁଳି କରି ହତ୍ୟା, ସଲମାନ ଖାନଙ୍କୁ ହତ୍ୟା ଉଦ୍ୟମ ପଛରେ ଲୋରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ଲରେନ୍ସ ବିଷ୍ଣୋୟୀ ଗୁଜରାଟରେ ଥିବା ବେଳେ ୭୦୦ ସୁଟର ତା ପାଖରେ ଥିବା ସୂଚନା ମିଳିଛି । ଧମକ ଦେଇ ପୁଲିସକୁ ଚ୍ୟାଲେଞ୍ଜ କରି ହତ୍ୟା କରୁଥିବା ଏହି ଗ୍ୟାଙ୍ଗ କିପରି ଭାରତରେ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ବିକ୍ରମ ସିଂ । ଏହା ପଛରେ କିଛି ବଡ଼ ବ୍ୟକ୍ତି ହାତ ଥିବା ସେ ସନ୍ଦେହ ପ୍ରକାଶ କରିବା ସହ ଲୋରେନ୍ସ ବିଷ୍ଣୋୟୀ ଏବେ ଦାଉଦ ଭଳି ଗ୍ୟାଙ୍ଗଷ୍ଟର ଚଳାଉଥିବା ସେ ଦାବି କରିଛନ୍ତି ।
ଦାଉଦ ଭୂମିକାରେ ଲରେନ୍ସ ବିଷ୍ନୋୟୀ
ଅଣ୍ଡରୱାର୍ଲଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ରାସ୍ତାରେ ଲରେନ୍ସ ବିଷ୍ଣୋୟୀ । ଦାଉଦ ଭଳି ଲରେନ୍ସ ବିଷ୍ଣୋୟୀର ଅଛନ୍ତି ୭୦୦ ସୁଟର । କେବଳ ପଞ୍ଜାବରୁ ୩୦୦ ସୁଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗରେ ଅଛନ୍ତି । ଏନେଇ ଏନଆଇଏ ଚାର୍ଜସିଟରେ ଉଲ୍ଲେଖ କରିଛି । ପ୍ରାୟ ୧୧ ଟି ଦେଶରେ ଅପରାଧିକ ନେଟୱାର୍କ ରହିଛି । ସିନ୍ଧୁ ମୁସେୱାଲାଙ୍କ ଭଳି ପ୍ରତିଷ୍ଠିତ କଣ୍ଠଶୀଳ୍ପୀ ହତ୍ୟା କରିଥିଲା ଏହି ଗ୍ୟାଙ୍ଗ୍ । ପରେ ସଲମାନ ଖାନଙ୍କ ମାରିବାକୁ ଉଦ୍ୟମ କରିଥିଲେ ଗ୍ୟାଙ୍ଗର ସଦସ୍ୟ । ସଲମାନ ଖାନ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ଯୋଗୁ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି ଲରେନ୍ସ ବିଷ୍ଣୋୟୀ । ଆମେରିକାରୁ ରହି ଅପରାଧିକ ନେଟୱାର୍କ ଚଳାଉଛି ଲରେନ୍ସ ବିଷ୍ଣୋୟୀ । ଦାଉଦ ଭଳି ଲରେନ୍ସ ବିଷ୍ଣୋୟୀ ଏବେ ଗ୍ୟାଙ୍ଗ ଚଳାଉଛି । ସୁପାରି କିଲିଂ, ଧମକ ବଟି ଆଦାୟ ଭଳି କାରବାରରେ ସମ୍ପୃକ୍ତ ଅଛି ।
ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରିବା ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣଙ୍କୁ ଚିହ୍ନଟ କରିଛି । ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା ।
ପୁଲିସ୍ ହାତରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମୈଲ ବଜଲଜିତ ସିଂହ ଧରା ପଡ଼ିଥିବା ବେଳେ ଶିବକୁମାର ଓରଫ ଶିବ ଗୌତମ ଫେରାର ରହିଛି । ସେହିପରି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ପ୍ରଭିଣ ଲୋନକରକୁ ଗିରଫ କରିଛି ପୁଲିସ । ଅନ୍ୟ ୩ ଜଣ ଏବେ ବି ଫେରାର୍ ଅଛନ୍ତି । ସେମାନେ ହେଲେ ଶିବକୁମାର, ଶୁଭମ ଲୋନକର ଓ ଜିଶାନ ମହମ୍ମଦ । ଧର୍ମରାଜ ଓ ଶିବ କୁମାରଙ୍କ ଘର ଉତ୍ତର ପ୍ରଦେଶରେ । ହରିୟାଣାରେ ହେଉଛି ଗୁରମୈଲର ଘର । ମହମ୍ମଦ ଜସିନ ଅଖତର ହେଉଛି ପଞ୍ଜାବର ଜଲନ୍ଧରର ବାସିନ୍ଦା । ସମସ୍ତେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଂସ୍ପର୍ଶରେ ଆସିଥିଲେ । ଏହି ସମୟରେ ତାକୁ ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ କଣ୍ଟ୍ରାକ୍ଟ ମିଳିଥିବା ନେଇ ସୂଚନା ରହିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି ।