କନକ ବ୍ୟୁରୋ : କାଠମାଣ୍ଡୁ ଆକାଶମାର୍ଗରୁ ସ୍ପଷ୍ଟ ଦିଶୁଛି ଜେନ୍-ଜି ଆନ୍ଦୋଳନର ଉଗ୍ର ନିଆଁ । କେବଳ ସଡ଼କ ଉପରେ ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ଓଲିଙ୍କ ଭକ୍ତପୁର ସ୍ଥିତ ବାସଭବନରେ ଧସେଇ ପଶି ଲଙ୍କାକାଣ୍ଡ ଭିଆଇଛନ୍ତି ଆନ୍ଦୋଳନକାରୀ । ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା କରିବା ସହ ଓଲି ସରକାର ପତନର ଖୁସି ମନାଇଛନ୍ତି । ଆନ୍ଦୋଳନ ଅଣାୟତ୍ତ ହେବା ଦେଖି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ.ପି. ଓଲି । ପଦ ଛାଡ଼ିବା ପରେ ଓଲି ଦେଶ ଛାଡ଼ି ଦୁବାଇ ପଳାଇ ଯିବା ନେଇ ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ, କାଠମାଣ୍ଡୁ ମେୟର ବଲେନ୍ଦ୍ର ଶାହ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି ।
ଏପଟେ ଭାରତ-ନେପାଳ ସୀମାରେ ହାଇଆଲର୍ଟ । ଘନ ଘନ ପଇଁତରା ମାରୁଛନ୍ତି ସଶସ୍ତ୍ର ସୁରକ୍ଷାବାହିନୀ । ଦିଲ୍ଲୀରୁ କାଠମାଣ୍ଡୁକୁ ବିମାନ ସେବା ପ୍ରଭାବିତ ହୋଇଛି । ନେପାଳରେ ଥିବା ଭାରତୀୟ ନାଗରିକଙ୍କୁ ସ୍ଥିତି ଶାନ୍ତ ନହେବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ନେପାଳରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ଜାରି କରିଛି ନୂଆଦିଲ୍ଲୀ । ଯୁବପିଢ଼ି ତାତିଲେ ସତ୍ତା ପଲଟ୍ ବି ନୁହେଁ ଅସମ୍ଭବ । ୨୦୨୨ରେ ଶ୍ରୀଲଙ୍କା ଓ ୨୦୨୪ରେ ବାଂଲାଦେଶ ପରେ, ନେପାଳରେ ବି ଜନଆନ୍ଦୋଳନ ଚାପରେ ଭୁଶୁଡ଼ିଛି ସରକାର ।