କନକ ବ୍ୟୁରୋ : ନେପାଳରେ ପ୍ରତିବାଦ ହିଂସା ରୂପ ନେଇ ଭୀଷଣ ରୂପ ନେଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଛନ୍ତି ବିଦ୍ରୋହୀ । ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଇଛନ୍ତି । ଖାଲି ସେତିକି ନୁହେଁ ପୂର୍ବତନ ପ୍ରଧାମନ୍ତ୍ରୀଙ୍କ ସ୍ତ୍ରୀଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେଲେ । ଫଳରେ ତାଙ୍କର ମୃତ୍ୟୁ ହେଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଗଲା । ଏତିକିରେ ବିଦ୍ରୋହୀଙ୍କ ରାଗ ଥମିନି । ନେପାଳର ସୁପ୍ରିମକୋର୍ଟରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଫଳରେ କୋର୍ଟରେ ଥିବା ଫାଇଲପତ୍ର ସହ କମ୍ପ୍ୟୁଟର ସବୁ ଜଳିପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।
ନେପାଳରେ ଚାଲିଥିବା ଅଶାନ୍ତିର ପ୍ରଭାବ ଏବେ କୋଲକାତାର ସୋନାଗାଛିରେ ଅନୁଭୂତ ହେଉଛି । ସୋନାଗାଛି ଏସିଆର ସର୍ବବୃହତ୍ ରେଡ୍ ଲାଇଟ୍ ଅଞ୍ଚଳ କୁହାଯାଏ । ଏଠାରେ ଅନେକ ନେପାଳୀ ବଂଶୋଦ୍ଭବ ଦେହଜୀବୀ ବସବାସ କରନ୍ତି । ଏବେ ନେପାଳରେ ରାଜନୈତିକ ଅସ୍ଥିରତା ଯୋଗୁଁ ସେମାନେ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିପାରୁନାହାନ୍ତି । ଯାହା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ନେପାଳର ପରିସ୍ଥିତି ଏବେ କୋଲକାତା ଉପରେ ପ୍ରଭାବ ପକାଇଛି । ବିଶେଷକରି ସୋନାଗାଛିରେ, ଯେଉଁଠାରେ ନେପାଳୀ ମହିଳାମାନଙ୍କର ଏକ ଅଂଶ ଏବେ ବି ବେଶ୍ୟାବୃତ୍ତିରେ ଲିପ୍ତ ଅଛନ୍ତି । ମାତ୍ର ଏହା ବି ସତ ଯେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି । କାଲିଘାଟରୁ ହାଓଡ଼ା ଏବଂ ହୁଗଲି ପର୍ଯ୍ୟନ୍ତ, ନେପାଳୀମାନେ ଏକଦା ବହୁ ସଂଖ୍ୟକ ଦେହଜୀବୀ ରହୁଥିଲେ । ସୋନାଗାଛିରେ ଏବେ ବି ସେମାନଙ୍କ ମଧ୍ୟରୁ ଅନେକ ଅଛନ୍ତି । ସେମାନେ ଏବେ ଅନିଶ୍ଚିତତାରେ ଫସି ରହିଛନ୍ତି । ନିଜ ପରିବାର ସହିତ ଯୋଗାଯୋଗ କରିପାରୁନାହାଁନ୍ତି କିମ୍ବା ଘରକୁ ଟଙ୍କା ପଠାଇପାରୁନାହାଁନ୍ତି । ନେପାଳର ବିମାନବନ୍ଦର ବନ୍ଦ ଅଛି, ଆନ୍ତର୍ଜାତୀୟ ସୀମା ସିଲ୍ କରାଯାଇଛି ଏବଂ ଯୋଗାଯୋଗ ନେଟୱାର୍କ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି ।