କନକ ବ୍ୟୁରୋ : ଦେଶ ବିଭାଜନ ପାଇଁ ଏନସିଇଆରଟି ନୂଆ ପାଠ୍ୟକ୍ରମରେ ମହମ୍ମଦ ଅଲ୍ଲୀ ଜିନ୍ନା, କଂଗ୍ରେସ ଏବଂ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଦାୟୀ କରାଯାଇଛି । ମହମ୍ମଦ ଅଲ୍ଲୀ ଜିନ୍ନା- ନିରନ୍ତର ଏକ ପୃଥକ ଦେଶ ପାଇଁ ଚାପ ପକାଇଥିଲେ ଏବଂ ପାକିସ୍ତାନ ସୃଷ୍ଟି ପାଇଁ ଦାବି କରିଥିଲେ । କଂଗ୍ରେସ- ଯାହା, ବିଶେଷକରି ନେହେରୁଙ୍କ ନେତୃତ୍ୱରେ, ବିଭାଜନ ନିଷ୍ପତ୍ତିକୁ ଗ୍ରହଣ କରିବାର ବାଟକୁ ବାଛିଥିଲା । ଲର୍ଡ ମାଉଣ୍ଟ ବ୍ୟାଟେନ୍- ଯିଏ ଦେଶ ବିଭାଜନକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିଥିଲେ ବୋଲି ନୂତନ ମଡ୍ୟୁଲରେ ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ତେଜିଛି ଜାତୀୟ ରାଜନୀତି, ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି । କ୍ଷମତାର ଲୋଭ ଆଉ ତୃଷ୍ଟିକରଣ ରାଜନୀତି ଯୋଗୁଁ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିଲା ବୋଲି ବିଜେପି ଅଭିଯୋଗ କରିଛି, ବିଭାଜନ ପାଇଁ ସାବରକରଙ୍କୁ ଦାୟୀ କରିଛି କଂଗ୍ରେସ ।
ଦେଶ ବିଭାଜନ କଥା ପୂର୍ବରୁ ମଧ୍ୟ ପଢା ହେଉଛି । ବିଭାଜନ କୌଣସି ବ୍ୟକ୍ତି କି ଦଳ କି ସଂଗଠନ ଦ୍ୱାରା ହୁଏନି । ଏହା ଏକ ମାନସିକ ବିଭାଜନ । ତା ଉପରେ ନିରପେକ୍ଷ ଆଲୋଚନା ଦରକାର । ଯିଏ ବିଭାଜନ ମାନସିକତା ସୃଷ୍ଟି କରିଛନ୍ତି ଦେଶ ବିଭାଜନ ପାଇଁ ସେମାନେ ଦାୟୀ । ଛୋଟ ପିଲାଙ୍କୁ ତା ଭିତରେ ପୁରେଇବା ସେ ଦ୍ଵନ୍ଦ ଭିତରେ ଠିକ ନୁହେଁ । ଯେଉଁ ଘା ଶୁଖିଗଲାଣି ତାକୁ ଘାଣ୍ଟିବା ଠିକ ନୁହେଁ ବୋଲି ଶିକ୍ଷାବିତ୍ ମାନେ ମତ ଦେଇଛନ୍ତି ।
ଏନସିଇଆରଟି ଷଷ୍ଠରୁ ଅଷ୍ଟମ ଏବଂ ଦଶମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଭାରତ-ପାକ୍ ବିଭାଜନ ଉପରେ ଏହି ୨ଟି ନୂତନ ମଡ୍ୟୁଲ୍ ପ୍ରକାଶ କରିଛି । ଯାହାକୁ ନେଇ ରାଜନୈତିକ ଘମାସାନ ମୁଣ୍ଡ ଟେକିଛି ।