କନକ ବ୍ୟୁରୋ : ପ୍ରକୃତିର ତାଣ୍ଡବ ଥରହର ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ । ଲଗାଣ ବର୍ଷା ପରେ ଉଭୟ ରାଜ୍ୟକୁ ମାଡ଼ିଆସିଛି ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୁସ୍ଖଳନ ।ହିମାଚଳରେ ରେଡ ଆଲର୍ଟ ଜାରି କରାଯିବା ସହ ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।
କେଉଁଠି କୋଠା ଭୁଶୁଡୁଛି । କେଉଁଠି ବନ୍ୟାର ପାଣିରେ ଭାସୁଛି ଘରଦ୍ୱାର । କିଏ ଜୀବନ ବଞ୍ଚାଇବାକୁ ଘର ଛାଡୁଛି ତ ପୁଣି କିଏ ଜଳବନ୍ଧୀ ଅବସ୍ଥାରେ ଉଦ୍ଧାର ପାଇଁ ଅପେକ୍ଷା କରିଛି । ପାହଡ଼ ରାଣୀ ହିମାଚଳରେ ତାଣ୍ଡବ ରଚୁଛି ପ୍ରକୃତି । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି ।
ସେପଟେ କୁଲ୍ଲୁ ପାର୍ବତୀ ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି । ଉତ୍ତର ଭାରତରେ ପ୍ରକୃତି ସାଧୁଛି ଦାଉ । ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି । ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । ବର୍ତ୍ତମାନ ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ସେପଟେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି ।
ସେପଟେ ଉତ୍ତରାଖଣ୍ଡ ଆକାଶରୁ ବର୍ଷୁଛି କାଳ । ଲଗାଣବର୍ଷା ପରେ ଏଠାକାର ସ୍ଥିତି ବେଶ ଭୟଙ୍କର ହେବାରେ ଲାଗିଛି । ଆଖି ଯୁଆଡ଼େ ପଡୁଛି ସେଠି କେବଳ ପାଣି ହିଁ ପାଣି । ରାସ୍ତାଘାଟ ସବୁ କିଛି ଧୋଇ ହେବା ଫଳରେ ମୁଖ୍ୟ ରାସ୍ତାଠୁ ବିଚ୍ଛିନ୍ନ ହୋଇପଡ଼ିଛି । ସେପଟେ ଭୁସ୍ଖଳନ ଯୋଗୁଁ ୩ଦିନରେ ୭ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟକୁ ନବୁଲି ଆସିବାକୁ ପର୍ଯ୍ୟଟକଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର ।
ବିଦେଶରେ ମଧ୍ୟ ବନ୍ୟା ସମସ୍ୟା ଦେଖାଦେଇଛି । ସପ୍ତାହକ ମଧ୍ୟରେ ଚୀନରେ ଦ୍ୱିତୀୟଥର ବନ୍ୟା ଆସିବା ଯୋଗୁଁ ନାହିଁନଥିବା କ୍ଷତି ସହିଛି ଚୀନର ପୂର୍ବାଞ୍ଚଳ । ଏଥରକ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଇତିହାସରେ ପ୍ରଥମ ଥର ପାଇଁ ଡୌଲିଉ ନଦୀର ଜଳସ୍ତର ରେକର୍ଡ ସ୍ତରରେ ପହଞ୍ଚିଥିଲା ଏବଂ ଶେଷରେ ଅନେକ ସ୍ଥାନରେ ବନ୍ଧ ଭାଙ୍ଗି ଯାଇଥିଲା । ସରକାର ସମଗ୍ର ଗୁଇଝୋଉ ଅଞ୍ଚଳରେ ଜରୁରୀକାଳୀନ ସତର୍କତା ଘୋଷଣା କରିଛନ୍ତି ।