କନକ ବ୍ୟୁରୋ : ଟ୍ରମ୍ପଙ୍କ ୫୦% ଟାରିଫ ଧମକ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ଜବାବ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ୱାର୍ଥରେ କୌଣସି ବୁଝାମଣା କରିବ ନାହିଁ । ନୂଆଦିଲ୍ଲୀରେ ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ମୋଦୀ କହିଛନ୍ତି, “ଆମ ପାଇଁ କୃଷକଙ୍କ ସ୍ୱାର୍ଥ ସର୍ବୋଚ୍ଚ । ମୁଁ ଜାଣେ ଏହାର ମୂଲ୍ୟ ମୋତେ ବ୍ୟକ୍ତିଗତ ଭାବେ ଦେବାକୁ ପଡ଼ିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ ।” ଟ୍ରମ୍ପ ଗତ ସପ୍ତାହରେ ୨୫% ଟାରିଫ ଘୋଷଣା କରିଥିବା ବେଳେ ବୁଧବାର ଋଷିଆରୁ ତୈଳ କ୍ରୟ ନେଇ ଆଉ ୨୫% ଟାରିଫ ଲଗାଇଛନ୍ତି, ଯାହା ମୋଟ ୫୦% ହୋଇଛି । ବୈଦେଶିକ ମନ୍ତ୍ରଣାଳୟ ଏହାକୁ “ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି କହି ଭାରତର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି ଟାରିଫ ଭାରତୀୟ କୃଷି ଓ ଏମଏସଏମଇ କ୍ଷେତ୍ରକୁ ପ୍ରଭାବିତ କରିପାରେ ।
ଟ୍ରମ୍ପଙ୍କ ଧମକ, ମୋଦୀଙ୍କ ଉତ୍ତର
ଟ୍ରମ୍ପଙ୍କ ଟାରିଫ୍ ଧମକ ପରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଜବାବ
ଭାରତ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ
ଆମ ପାଇଁ କୃଷକଙ୍କ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା
ମୁଁ ଜାଣେ ଏହାର ମୂଲ୍ୟ ମୋତେ ବ୍ୟକ୍ତିଗତ ଭାବେ ଦେବାକୁ ପଡ଼ିବ
କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ
ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ: ମୋଦୀ
ଭାରତୀୟ ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିବ?
ପୋଷାକ ଓ ରତ୍ନ ଶିଳ୍ପରେ ୪୦-୫୦% ରପ୍ତାନୀ ହ୍ରାସ ହେବ
ଟାରିଫ୍ ଭାରତର ଜିଡିପିକୁ ୧ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇପାରେ
ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ଅଣ-ପ୍ରତିଯୋଗୀ ହେବ
ଶ୍ରମିକଙ୍କ ଚାକିରି ଓ ନିବେଶ ଉପରେ ପ୍ରଭାବ ପଡ଼ିବ
ବାଂଲାଦେଶ ଓ ଭିଏତନାମ ପରି ଦେଶମାନେ ପ୍ରତିଯୋଗିତାରେ ଆଗରେ ରହିବେ
ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୫୦% ଟାରିଫ ଲାଗୁ କରାଯାଇଛି, ଯାହା ଭାରତୀୟ ଅର୍ଥନୀତି ପାଇଁ ବଡ଼ ଝଟକା । ଏହା ରୁଷିଆରୁ ତୈଳ କ୍ରୟ ଜାରି ରଖିବା ପାଇଁ ଦଣ୍ଡ ସ୍ୱରୂପ ଟ୍ରମ୍ପ ଘୋଷଣା କରିଛନ୍ତି । ସେପଟେ କଂଗ୍ରେସ ସାଂସଦ ରାଜୀବ ଶୁଳ୍କା କହିଛନ୍ତି, ବିଦେଶ ନୀତି ଆମର ଦୁର୍ବଳ ଅଛି, ଶୁଳ୍କ ଲାଗିଲେ ବହୁତ କ୍ଷେତ୍ର ଆମର ପ୍ରଭାବିତ ହେବ ।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଟ୍ରମ୍ପଙ୍କ ଟାରିଫ ଉପରେ ବୟାନ ରଖିଛନ୍ତି । ଥରୁର କହିଛନ୍ତି, ଯଦି ଆମେରିକା ଆମ ଉପରେ ୫୦% ଶୁଳ୍କ ଲଗାଏ, ତେବେ ଆମକୁ ମଧ୍ୟ ସେମାନଙ୍କ ଉପରେ ୫୦% ଶୁଳ୍କ ଲଗାଇବା ଉଚିତ । କେବଳ ବାଣିଜ୍ୟ କାରଣରୁ ସମ୍ପର୍କକୁ ନଷ୍ଟ କରିବାର ପ୍ରୟାସ କାହିଁକି କରାଯାଉଛି ବୋଲି ଥରୁର ପ୍ରଶ୍ନ କରିଛନ୍ତି ।