କନକ ବ୍ୟୁରୋ: ଟ୍ରାଫିକ୍‌ ନିୟମ ସମସ୍ତଙ୍କ ପାଇଁ ସମାନ । ଏ କଥା ଆମେ ସମସ୍ତେ ଜାଣନ୍ତି । ହେଲେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ମନ୍ତ୍ରୀଙ୍କ ଯଦି ନିୟମ ଭଙ୍ଗ କରନ୍ତି ତେବେ ତାଙ୍କ ବିରୋଧରେ କଣ ଆକ୍ସନ ହେବ । ଆଉ ଏ ସବୁର ଉତ୍ତର ଦେଇଛି ୟୁପି ଟ୍ରାଫିକ୍‌ ପୁଲିସ୍‌ । କାରଣ ପାର୍କିଂରେ ମନ୍ତ୍ରୀଙ୍କ ଫର୍ଚୁନର ଗାଡ଼ି ବେନିୟମ ଭାବରେ ପାର୍କ ହୋଇଥିଲା । ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ୟୁପି ପୁଲିସ୍‌ କ୍ରେନ୍‌ ଆଣି ମନ୍ତ୍ରୀଙ୍କ ଗାଡ଼ିକୁ ଉଠାଇନେଇଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । 

Advertisment

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।  ଯେଉଁଠାରେ ଆଇନର ଉର୍ଦ୍ଧ୍ବରେ କେହି ନୁହେଁ ବୋଲି ଟ୍ରାଫିକ୍ ପୁଲିସ୍‌ ପ୍ରମାଣିତ କରିଛି । ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗାଡ଼ି ନୋ-ପାର୍କିଂ ଜୋନ୍‌ରେ ଥିବାରୁ ଟ୍ରାଫିକ୍ ପୁଲିସ୍‌ କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ଉଠାଇ ନେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି  । 

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ରଙ୍ଗର ଟୟୋଟା ଫର୍ଚୁନର୍ ଗାଡ଼ିଟି ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ନୋ-ପାର୍କିଂ ଜୋନରେ ପାର୍କ କରାଯାଇଥିଲା । ମନ୍ତ୍ରୀ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଡ୍ରାଇଭର ଗାଡ଼ିଟିକୁ ଭୁଲ୍ ଜାଗାରେ ପାର୍କ କରିଦେଇଥିଲେ, ଯାହାଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ପରେ ଟ୍ରାଫିକ୍‌ ପୁଲିସ୍‌ଙ୍କ ନଜରକୁ ଏହି ଘଟଣା ଆସିଥିଲା । ଗାଡ଼ିଟି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କର ବୋଲି ଜାଣିବା ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତୁରନ୍ତ ଏକ କ୍ରେନ୍ ଡକାଯାଇ ଗାଡ଼ିଟିକୁ ସେଠାରୁ ଉଠାଇ ନିଆଯାଇଥିଲା । କ୍ରେନ୍ ଦ୍ୱାରା ମନ୍ତ୍ରୀଙ୍କ ଏସୟୁଭିକୁ ଉଠାଯାଉଥିବାର ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । 

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ୍‌କୁ ସବୁଠି ଭୂରିଭୂରି ପ୍ରଶଂସା କରାଯାଉଛି । ୟୁଜର୍ସ କମେଣ୍ଟ ଦେଇ କହୁଛନ୍ତି, ଏମିତି ପୁଲିସ୍‌ ରହିଲେ କେବେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବ ନାହିଁ ।  ସଞ୍ଜୟ ନିଷାଦ ଉତ୍ତର ପ୍ରଦେଶ ସରକାରରେ ମତ୍ସ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ହେଲେ କ୍ୟାବିନେଟ୍‌ ମନ୍ତ୍ରୀ ଜଣେ ନିୟମ ଭଙ୍ଗ କରିଥିବାରୁ ତାଙ୍କ ଗାଡ଼ିକୁ ଉଠାଇ ନେଇ ପୁଲିସ୍‌ । ଯାହା ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।