କନକ ବ୍ୟୁରୋ : ଭାଇରାଲ ହେଉଛି ଉଦ୍ୟୋଗୀ ଏବଂ ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ସୁବ୍ରତ ବାଗଚୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ତାଙ୍କ ଦରମାର ଶେଷ ଚେକ୍‌ ଫଟୋଟି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଯେତେବେଳେ ସେ ଓଡ଼ିଶା ସରକାରଙ୍କ ସହିତ ପ୍ରତିଷ୍ଠାନ ଏବଂ କ୍ଷମତା ବିକାଶରେ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ତାଙ୍କୁ ପ୍ରତିବର୍ଷ ମାତ୍ର ୧ ଟଙ୍କା ଦରମା ମିଳୁଥିଲା । ସେ କହିଛନ୍ତି ଯେ ତାଙ୍କୁ ୮ ବର୍ଷ ମଧ୍ୟରେ ୮ଟି ଚେକ୍ ମିଳିଛି ଏବଂ ତାଙ୍କର ଶେଷ ଚେକ୍ ଏବେ ବି ତାଙ୍କ ପାଇଁ ସ୍ୱତନ୍ତ୍ର । ବାଗଚୀ କହିଛନ୍ତି ଯେ ତାଙ୍କ ପାଇଁ ପ୍ରକୃତ ସମ୍ପତ୍ତି ଟଙ୍କା ନୁହେଁ, ବରଂ ଅନ୍ୟମାନଙ୍କ ସେବା ଏବଂ ଦେଶର ବିକାଶ ପ୍ରତି ଯୋଗଦାନ ।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାଗଚୀ ନିଜ ଶେଷ ଦରମାର ଚେକ୍ ସେୟାର କରି କହିଛନ୍ତି, "ଏହି ଜୀବନର ସବୁଠାରୁ ବଡ଼ ସମ୍ପତ୍ତି କ'ଣ ଯାହାକୁ ମୁଁ କେବେ ଛାଡିବାକୁ ଚାହିଁବି ନାହିଁ ? ମୁଁ ସରକାରଙ୍କ ସହ କାମ କରିବା ବେଳେ ପ୍ରତିବର୍ଷ ୧ ଟଙ୍କା ଦେୟ ନେଇଥିଲି । ସେଠାରେ ବିତାଇଥିବା ୮ ବର୍ଷ ପାଇଁ, ମୁଁ ୮ଟି ଚେକ୍ ପାଇଲି ଏବଂ ଏହା ମୋର ଶେଷ ଦରମା ଚେକ୍ ଥିଲା ।"

ଏହି ପୋଷ୍ଟଟି ବେଶ ଭାଇରାଲ ହୋଇଛି ଏବଂ ଅନେକ ଏହାକୁ ପ୍ରକୃତ ନେତୃତ୍ୱର ଏକ ବିରଳ ଉଦାହରଣ ବୋଲି କହିଛନ୍ତି । ଜଣେ ଯୁଜର୍ସ କହିଛନ୍ତି ଓଡ଼ିଶା ପ୍ରତି ଆପଣଙ୍କର ଅବଦାନ ଅତୁଳନୀୟ । ଆପଣ କର୍ପୋରେଟ୍ ଜଗତରେ ୮ ବର୍ଷ ମଧ୍ୟରେ ୮,୦୦୦ କୋଟି ଟଙ୍କା ରୋଜଗାର କରିପାରିଥାନ୍ତେ । ସାଲ୍ୟୁଟ୍ !!ଆଉ ଜଣେ ଯୁଜର୍ସ କହିଛନ୍ତି, ଆପଣ ଜଣେ ମହାନ ବ୍ୟକ୍ତି ଯିଏ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି, ଆତ୍ମ-ବିକାଶ ବିଷୟରେ ନୁହେଁ । ଆଉ ଏକ ୟୁଜର୍ସ ଲେଖିଛନ୍ତି, ଆପଣ ଯେଉଁ ମହାନ କାର୍ଯ୍ୟ କରିଛନ୍ତି ତାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ଏବଂ ଆପଣ ଅନେକଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ ଏବଂ ପ୍ରେରଣା ।

ବାଗଚୀ ୨୦୧୬ ମସିହାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ କୋଭିଡ ବେଳେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ମଧ୍ୟ ଥିଲେ ।