କନକ ବ୍ୟୁରୋ: ଅଧରାତିରେ ଏୟାରଷ୍ଟ୍ରାଇକ୍ । ମିସାଇଲ୍ ମାଡ଼ରେ ସଫା ହେଲେ ୧୦୦ ରୁ ଅଧିକ ଆତଙ୍କୀ । ଯାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଯେଉଁ ସମୟରେ ବିଶ୍ବରେ ଚର୍ଚ୍ଚା ଚାଲିଥିଲା ଠିକ୍ ଏହି ସମୟରେ ଇସ୍ରାଏଲ ୟେମେନ୍ ଉପରେ କରିଛି ଆକ୍ରମଣ । ଏନେଇ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଇସ୍ରାଏଲ ଉପରେ ଯେଉଁ ଦେଶର ଆତଙ୍କୀ ମିସାଇଲ୍ ମାଡ଼ କରିବେ ତାଙ୍କ ଘରେ ପଶି ଆମେ ମାରିବୁ । ପୂର୍ବରୁ ମାରିଥିଲୁ, ଏବେ ବି ମାରିବୁ ।
ଅଧ ରାତିରେ ପୁଣି ଏୟାରଷ୍ଟ୍ରାଇକ୍
ଛାରଖାର ହେଲା ଆତଙ୍କୀ ଆଡ୍ଡା
ମିସାଇଲ୍ ମାଡ଼ରେ ଘାଇଲା ହୁତି ଆତଙ୍କୀ ସଂଗଠନ
ଶୁକ୍ରବାର ଅଧ ରାତି । ଯେବେ ପୂରା ସହର ନିଘୋଡ ନିଦରେ ଶୋଇଥିଲା ସେହି ସମୟରେ ଇସ୍ରାଏଲ ହୁତି ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ମାତ୍ର କେଇ ସେକେଣ୍ଡରେ ଛାରଖାର ହୋଇଥିଲା ଆତଙ୍କୀ ଶିବିର । ଇସ୍ରାଏଲର ମିସାଇଲ୍କୁ ରୋକିବାକୁ ଆତଙ୍କୀ ସଂଗଠନ ଫେଲ୍ ମାରିଥିଲା । ସେଥିଲାଗି ତ ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି । ଆକ୍ରମଣ ପରେ ଇସ୍ରାଏଲ ସରକାର କହିଛନ୍ତି, ଆମେ କାହା ସହ ଉପରେ ପଡ଼ି ଲାଗୁନାହୁଁ । ହେଲେ ଯେଉଁମାନେ ଆମ ଦେଶ ଉପରେ ଆଖି ପକାଇଛନ୍ତି ଆମେ ତାଙ୍କୁ କେବେ ଛାଡ଼ିନଥିଲୁ କି ଆଗକୁ ଛାଡ଼ିବୁ ନାହିଁ ମଧ୍ୟ ।
ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧସ୍ଥିତି
ବଦଲା ନେଉଛି ଇସ୍ରାଏଲ୍
ଆକ୍ରମଣ ସମ୍ପର୍କରେ ବଡ଼ ବୟାନ ଦେଲେ ନେତାନ୍ୟାହୁ
ଇସ୍ରାଏଲ କରିଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ସେ କହିଛନ୍ତି, ଆମ ଦେଶର ବାୟୁବୀରମାନେ ଯେଉଁପରି ଭାବରେ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବରେ ଟାର୍ଗେଟ୍ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରିବା ଆମର ଲକ୍ଷ୍ୟ। ଯେପର୍ଯ୍ୟନ୍ତ ଆତଙ୍କୀ ସଫା ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଆମେ ଚୁପ୍ ବସିବୁ ନାହିଁ । ଖାଲି ଏତିକି ନୁହେଁ ବରଂ ସେ ଅଭିଯୋଗ କରିଛନ୍ତି କି ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ ହୋଇଛି ସେଥିରେ ଇରାନ୍ର ହାତ ରହିଛି । ତେଣୁ କୌଣସି ପରିସ୍ଥିତିରେ ବି ଶତ୍ରୁରାଷ୍ଟ୍ରଙ୍କୁ ଛଡ଼ାଯିବ ନାହିଁ ।
ମୋଟ୍ ଉପରେ ହମାସ୍-ଇସ୍ରାଏଲ୍ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ବିଶ୍ବ ଚିନ୍ତାରେ ଅଛି । ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ପରିସମାପ୍ତି ପାଇଁ ଅନେକ ରାଷ୍ଟ୍ର ମଧ୍ୟସ୍ଥି ହେଉଥିବା ଦେଖାଯାଉଥିବା ବେଳେ ଶାନ୍ତ ପଡୁନି ସ୍ଥିତି । କିନ୍ତୁ ଇସ୍ରାଏଲ ସ୍ପଷ୍ଟ କରିଛି କି, ଯେପର୍ଯ୍ୟନ୍ତ ଆମ ଦେଶ ଉପରେ ଆକ୍ରମଣ ହେଉଛି ସେପର୍ଯ୍ୟନ୍ତ ଆମେ ଚୁପ୍ ବସିବୁ ନାହିଁ ବରଂ ପ୍ରତିଆକ୍ରମଣ କରିବୁ । ତେବେ ଆଗାମୀ ଦିନରେ ଇସ୍ରାଏଲ ଆତଙ୍କୀଙ୍କୁ ନେଇ କି ପଦକ୍ଷେପ ନେଉଛି ତାହା ସମୟ କହିବ ।