କନକ ବ୍ୟୁରୋ : ମେକ୍ସିକୋରେ ମୂଷଳଧାରାରେ ବର୍ଷା ତାଣ୍ଡବ ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୪୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ରାସ୍ତାଘାଟ ନଦୀରେ ପରିଣତ ହୋଇଛି, ଘରଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ସବୁକିଛି ପାଣିରେ ବୁଡ଼ିଛି । କାର ଗୁଡିକ ଦେଖିଲେ ଲାଗୁଛି ସତେ ଯେମିତି ପାଣିରେ ଖେଳଣା ଭାସୁଛି ।

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ କଣ ହୋଇପାରେ ତାହାର ଚିତ୍ର ମେକ୍ସିକୋରେ ଦେଖିବାକୁ ମିଳିଛି । ଭାସୁଛି କାର୍‌, ଭାସୁଛି ଘର, ଭାସୁଛନ୍ତି ମଣିଷ । ମେକ୍ସିକୋରେ ପ୍ରଳୟକାରୀ ବନ୍ୟାରେ ଦେଶର ଅବସ୍ଥା ସାଂଘାତିକ । ମେକ୍ସିକୋରେ ବର୍ଷା ଓ ବନ୍ୟା ଯୋଗୁଁ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଅଧିକାରୀମାନଙ୍କ ବୟାନ ଅନୁଯାୟୀ, ଦେଶର ପାଞ୍ଚଟି ରାଜ୍ୟରେ ବନ୍ୟା ଅଧିକ କ୍ଷତିଗ୍ରସ୍ତ କରିଛି । ବନ୍ୟା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ପ୍ରଶାସନ ପହଞ୍ଚିବା ଏବଂ ରିଲିଫ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।

ହଜାର ହଜାର ସୈନିକମାନଙ୍କୁ ରାସ୍ତା ସଫା କରିବା ଓ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ କରାଯାଇଛି । ୧୩୯ଟି ପ୍ରଭାବିତ ସହରରେ ସହାୟତା ପ୍ରଦାନ କରାଯାଉଛି, ଯେଉଁଥିରେ ୧୬,୦୦୦ରୁ ଅଧିକ ଘର ନଷ୍ଟ ହୋଇଛି । ୬୦୦ ମାଇଲ୍‌ରୁ ଅଧିକ ଜାତୀୟ ରାଜପଥ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ସୂଚନା ଦେଇଛି, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ । ମେକ୍ସିକୋ ରାଷ୍ଟ୍ରପତି ଜରୁରୀ ବୈଠକ ଡାକିଛନ୍ତି ।

ମେକ୍ସିକୋ ସିଟିରୁ ୨୭୫ କିଲୋମିଟର ଉତ୍ତର-ପୂର୍ବରେ ଥିବା ତେଲ ସହର ପୋଜା ରିକାରେ ବନ୍ୟା ଆସିବା ପୂର୍ବରୁ କୌଣସି ସତର୍କତା ଜାରି କରାଯାଇ ନଥିଲା । ଫଳରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର ସକାଳେ ପୋଜା ରିକାର ତଳିଆ ଅଞ୍ଚଳର ରାସ୍ତାଗୁଡ଼ିକ ୧୨ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିଲା । କାଜୋନ୍ ନଦୀର ପ୍ରବାହିତ ପାଣିରେ କାରଗୁଡ଼ିକ ଭାସି ପରସ୍ପର ସହିତ ଧକ୍କା ହେଉଥିବାର ଚିତ୍ର ଦେଖିବାକୁ ମିଳିଛି ।