କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ସହିତ ମହାରାଷ୍ଟ୍ରରେ ଦୁଇ ରାଜନୈତିକ ମେଣ୍ଟ ମଧ୍ୟରେ ତତ୍ପରତା ବୃଦ୍ଧି ପାଇଛି । ଗତ ଲୋକସଭା ନିର୍ବାଚନରେ ଶାସକ ମହାୟୁତିକୁ ପଛରେ ପକାଇ ବିରୋଧୀ ମହାବିକାଶ ଅଘାଡି ଅଧିକ ଆସନ ଜିତିଥିଲା । ଏହି ଦୃଷ୍ଟିରେ ଦୁଇ ମେଣ୍ଟ ଅର୍ନ୍ତଗତ ଦଳ ମଧ୍ୟ ଆସନ ଭାଗବଣ୍ଟା ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ମହାୟୁତି ମଧ୍ୟରେ କିପରି ହେବ ଆସନ ଭାଗବଣ୍ଟା
ବିଜେପି ସର୍ବାଧିକ ଆସନ ଦାବିରୁ ଓହରିବ କି?
ସିନ୍ଦେଙ୍କ ଶିବସେନା କ’ଣ କମ ଆସନରେ ସନ୍ତୁଷ୍ଟ ହେବ?
ଅଜିତଙ୍କ ଏନସିପି ଆସନ ଭାଗବଣ୍ଟାରେ ଅସନ୍ତୁଷ୍ଟ ହେବେ କି?
ମହାୟୁତି ଛାଡି ଚାଲିଯିବେ କି ଅଜିତ ପାୱାର?

ଏହି ସବୁ ପ୍ରଶ୍ନ ଭିତରେ ବିଜେପି ରାଜ୍ୟ କୋର କମିଟି ବୈଠକରେ ସମସ୍ତ ବିଧାୟକଙ୍କୁ ପୁର୍ନବାର ଟିକେଟ ଦେବାକୁ ନିଷ୍ପତ୍ତି ନିଆଯାଇଥବା ସୂଚନା ମିଳିଛି । ଏହା ସହ ଅନ୍ୟଦଳରୁ ଆସିଥିବା ନେତାମାନଙ୍କୁ ମଧ୍ୟ ଟିକେଟ ଦିଆଯିବା ସମ୍ଭାବନା ରହିଛି । ବିଧାନସଭାର ୨୮୮ ଆସନରୁ ୧୦୦ ରୁ ୧୧୫ ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆପତଃ ନିଷ୍ପତ୍ତି ହୋଇଛି । ବାକି ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ମଧ୍ୟରେ ବଣ୍ଟା ହେବ । ମାତ୍ର ଅଜିତ ପାୱାର କୌଣସି ଭାବରେ ଛୋଟ ଭାଇ ଭୂମିକାରେ ରହିବାକୁ ଚାହୁଁନାହାଁନ୍ତି । ତେଣୁ ଅଜିତ ପାୱାରଙ୍କୁ ମନାଇବାକୁ ବିଜେପି ପାଇଁ କାଠିକାର ପାଠ ହୋଇପାରେ ।

ଅନ୍ୟପକ୍ଷରେ ମହାବିକାଶ ଅଘାଡି ଗତ ଲୋକସଭା ନିର୍ବାଚନରେ ୪୮ ଆସନରୁ ୩୧ରେ ବିଜୟ ଲାଭ କରିଛି । ଏହି ଦୃଷ୍ଟିରୁ ବିଧାନସଭା ନିର୍ବାଚନରେ ଏମଭିଏ ମେଣ୍ଟ ଶାସନ କ୍ଷମତାକୁ ଫେରିବାକୁ ଆଶା ରଖିଛି । ଲୋକସଭା ନିର୍ବାଚନରେ ସର୍ବାଧିକ ୧୩ଟି ଆସନ ଜିତିଥିବା କଂଗ୍ରେସ ଏଠାରେ ବଡ଼ ଭାଇ ପଣିଆ ଜାହିର କରି ୧୦୦ରୁ ଅଧିକ ଆସନରେ ଲଢ଼ିବାକୁ ଚାହୁଁଛି । ମାତ୍ର ମେଂଟ ଭୁକ୍ତ ଅନ୍ୟ ଦୁଇ ଦଳ ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନର ଏଥିରେ ରାଜି ନୁହଁନ୍ତି । ହରିୟାଣା ବିଧାନସଭା ନିର୍ବାଚନରେ ଛୋଟ ଦଳ  ସହିତ ଆସନ ବୁଝାମଣା ନକରି ଶାସନକୁ ଫେରିବାକୁ ବଞ୍ଚିତ ହୋଇଛି କଂଗ୍ରେସ । ଏହି ଦୃଷ୍ଟିରୁ ଏନସିପି ଓ ଶିବସେନା ସହିତ ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସ ନରମ ମେନାଭାବ ପୋଷଣ କରିପାରେ ।

୨୦୧୯ ବିଧାନସଭା ନିର୍ବାଚନରେ ଦୁଇ ନେତା ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀକୁ କେନ୍ଦ୍ରକରି ମେଣ୍ଟ ଭାଙ୍ଗିଥିଲା । ପରେ ଉଦ୍ଧବଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଉଭୟ ଶିବସେନା ଓ ଏନସିପି ବିଭାଜନ ଫଳରେ ମହାୟୁତି ନାମରେ ମେଣ୍ଟ ସରକାର ହୋଇଥିଲା । ଅଧିକ ବିଧାୟକ ଥିଲେ ବିଭାଜିତ ଶିବସେନାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ସମର୍ଥନ ମିଳିଥିଲା ।

ମାତ୍ର ଲୋକସଭା ନିର୍ବାଚନରେ ଫଳାଫଳକୁ ନେଇ ମେଣ୍ଟ ଭୁକ୍ତ ଦଳଗୁଡିକ ମଧ୍ୟ ସମୀକରଣ ଓଲଟାପାଲଟା କରିଦେଇଛି । ସବୁଠାରୁ ଦୁର୍ବଳ ଦଳ କୁହାଯାଉଥିବା କଂଗ୍ରେସ ଅତି ଆଶ୍ଚର୍ଯ୍ୟଜନକ ଭାବେ ଅଧିକ ଆସନ ଆସନ ଜିତିଥିଲା । ସେହିଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର କିଛି ବରିଷ୍ଠ ନେତା ଅଜିତ ପାୱାରଙ୍କ ଏନସିପିକୁ ଦାୟୀ କରିଥିଲା । ଏହି ଦୃଷ୍ଟିରୁ ଦୁଇ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଛକାପଞ୍ଝା ଜାରି ରହିଛି ।