Massive Explosions Rock Iran Photograph: (Kanak News)
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଭୟଙ୍କର ବିସ୍ଫୋରଣରେ ଥରିଲା ଇରାନ । ଇରାନ୍ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ତେହେରାନ ସମେତ ଅନେକ ସହରରେ ଶୁଭିଲା ଶକ୍ତିଶାଳୀ ବିସ୍ଫୋରଣ । ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି । ଇସ୍ରାଏଲ ବାୟୁସେନା ଶନିବାର ଭୋର ସମୟରେ ଇରାନ ଉପରେ ଏକ ବଡ଼ ଧରଣର 'ପ୍ରିଏମ୍ପଟିଭ୍ ଷ୍ଟ୍ରାଇକ୍' ବା ପ୍ରତିରକ୍ଷାମୂଳକ ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନ ସମେତ ଅନେକ ପ୍ରମୁଖ ସହରରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି ।
ଆକ୍ରମଣ ପରେ ଇରାନରେ ଜାତୀୟ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରାଯାଇଛି । ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍ସ ସାରା ଦେଶରେ ତୁରନ୍ତ 'ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି' ଘୋଷଣା କରିଛନ୍ତି । ଇସ୍ରାଏଲ ବାୟୁସେନା ଇରାନର ପ୍ରାୟ ୧୦୦ରୁ ଅଧିକ ସାମରିକ ଠିକଣା ଏବଂ କେତେକ ଅତି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ୍ କରିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ଇରାନ କ୍ଷେପଣାସ୍ତ୍ର ମାରି ଖସାଇଲା କତାର
ବିଶେଷ କରି ମିସାଇଲ୍ ଉତ୍କ୍ଷେପଣ କେନ୍ଦ୍ର ଏବଂ ଡ୍ରୋନ୍ ନିର୍ମାଣ କାରଖାନା ଉପରେ ବୋମାମାଡ଼ କରାଯାଇଛି । ଇସ୍ରାଏଲ ଦାବି କରିଛି ଯେ, ଇରାନ ତା’ ଉପରେ ଏକ ବଡ଼ ଧରଣର ମିସାଇଲ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିଲା । ଏହାକୁ ରୋକିବା ପାଇଁ ଇସ୍ରାଏଲ ପକ୍ଷରୁ ଏହି 'ପୂର୍ବ ପ୍ରସ୍ତୁତି' ଆକ୍ରମଣ କରାଯାଇଛି । ଇରାନ ସରକାରୀ ଗଣମାଧ୍ୟମ ବିସ୍ଫୋରଣ ଘଟିଥିବା ସ୍ୱୀକାର କରିଥିଲେ ହେଁ, ସେମାନଙ୍କର ଏୟାର ଡିଫେନ୍ସ ସିଷ୍ଟମ ଅନେକ ମିସାଇଲକୁ ଆକାଶରେ ଧ୍ୱଂସ କରିଦେଇଥିବା ଦାବି କରିଛନ୍ତି ।
ଏହି ଆକ୍ରମଣ ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହଠାତ୍ ବୃଦ୍ଧି ପାଇଛି । ଆମେରିକା ଏବଂ ବ୍ରିଟେନ ପରି ଦେଶଗୁଡ଼ିକ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ନିଜର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଆକ୍ରମଣ ପରେ ଇରାନ୍ ନିଜ ଆକାଶମାର୍ଗ ସିଲ୍ କରିଛି । ଇସ୍ରାଏଲ ମଧ୍ୟ ନିଜ ଆକାଶମାର୍ଗ ସିଲ୍ କରିବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
Follow Us