କନକ ବ୍ୟୁରୋ: ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ୍ ଆଝାର ଏବେ ପାକିସ୍ତାନରେ ହିଁ ଲୁଚିଛି । ଭାରତର ପହଲଗାମ୍ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର ଦ୍ୱାରା ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହି ଆକ୍ରମଣରେ ପାକିସ୍ତାନର ପ୍ରାୟ ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଥିଲା । ଏହାପରେ ଚର୍ଚ୍ଚା ହୋଇଥିଲା କି ମସୁଦ କେଉଁଠାରେ ଲୁଚିଛି । ହେଲେ ସେତେବେଳେ ଆତଙ୍କୀ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । କିନ୍ତୁ ଏବେ ସେ ପାକିସ୍ତାନର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚିଥିବା ସୂଚନା ମିଳିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଛି ।
ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେର ଗିଲଗିଟ-ବେଲୁଚିସ୍ତାନ ଅଞ୍ଚଳରେ ଦେଖିବାକୁ ମିଳିଥିବା ନେଇ ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିଛି । ଖବର ଜଣାପଡ଼ିବା ପରେ ଭାରତ ପ୍ରତିକ୍ରିୟାଶୀଳ ହୋଇଥିବା ସୂଚନା ମିଳିଛି । ଆଝାରର ପାରମ୍ପରିକ ଠିକଣା ବାହାୱଲପୁରରୁ ପ୍ରାୟ ୧,୦୦୦ କିଲୋମିଟର ଦୂରରେ ତାକୁ ଦେଖାଯିବା ପାକିସ୍ତାନର ଆତଙ୍କବାଦ ପ୍ରତି ଥିବା ଆଭିମୁଖ୍ୟ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ତାହା ନୁହେଁ ବରଂ ପାକିସ୍ତାନର ପୁଣି ଥରେ ଆତଙ୍କୀ ପ୍ରେମର ପର୍ଦ୍ଦାଫାସ ବି ହୋଇଛି ।
କାହିଁକି ଚର୍ଚ୍ଚାରେ ମସୁଦ୍ ?
ମସୁଦ ଆଝାର ଜଣେ ମୋଷ୍ଟୱାଣ୍ଟେଡ୍ ପାକିସ୍ତାନୀ ଆତଙ୍କବାଦୀ । ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ବି ସେ । ସୀମା ସେପଟେ ରହି ସୀମା ଏପଟେ କେମିତି ଅଶାନ୍ତି ସୃଷ୍ଟି ହେବ ସେନେଇ ସିଏ ଏବଂ ତାର ସଙ୍ଗଠନ କାମ କରେ । ଜମ୍ମୁ ଓ କାଶ୍ମୀରକୁ ଭାରତଠାରୁ ଅଲଗା କରି ପାକିସ୍ତାନରେ ମିଶାଇବା ଏହି ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ । ୨୦୦୧ ଭାରତୀୟ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ ବାୟୁସେନା ଘାଟି ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ଭଳି ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ହାତ ରହିଛି । ଖାଲି ଏତିକି ନୁହେଁ ବରଂ ପହଲଗାମ୍ ଆକ୍ରମଣରେ ବି ତାର ହାତ ଥିଲା ସ୍ପଷ୍ଟ ଜଣାପଡ଼ିଛି ।
୨୦୧୯ ମସିହାରେ ଜାତିସଂଘ ସୁରକ୍ଷା ପରିଷଦ ମସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଏଠାରେ ସ୍ପଷ୍ଟଭାବରେ କହିରଖୁଛୁ କି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814କୁ ଅପହରଣ କରାଯାଇ ଯାତ୍ରୀମାନଙ୍କ ବଦଳରେ ଭାରତ ସରକାର ମସୁଦ ଆଝାରକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ଏହାପରେ ସେ ପାକିସ୍ତାନରେ ଜୈଶ-ଏ-ମହମ୍ମଦ ଗଠନ କରିଥିଲା ।
ତେବେ ମସୁଦ ଆଝାରର ନୂଆ ଠିକଣା ପାକିସ୍ତାନର ଆତଙ୍କବାଦ ପ୍ରତି ଥିବା ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ପାକିସ୍ତାନ ଅନେକ ସମୟରେ ଦାବି କରିଆସୁଛି କି ମସୁଦ ଆଝାର ତା’ଦେଶରେ ନାହିଁ । କିନ୍ତୁ ଏହି ନୂଆ ଗୁଇନ୍ଦା ତଥ୍ୟ ପାକିସ୍ତାନର ଦାବିକୁ ମିଥ୍ୟା ପ୍ରମାଣିତ କରୁଛି । ଭାରତ ଏହି ଘଟଣାକୁ ନେଇ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।
ଆଝାର ପାକିସ୍ତାନରେ ରହିଥିବା ଜଣାପଡ଼ିବା ପରେ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଅନ୍ତର୍ଜାତୀୟ ସ୍ତରରେ ଚାପ ସତ୍ତ୍ୱେ ପାକିସ୍ତାନ ଏବେବି ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇ ଦେଉଛି । ଯାହା ଭାରତ ପାଇଁ ବିପଦ ।