କନକ ବ୍ୟୁରୋ: ଅଲିମ୍ପିକ୍ସରେ ପଦକ ଜିତିବାକୁ ଖେଳାଳୀଙ୍କୁ ବର୍ଷ ବର୍ଷ କଠିନ ପରିଶ୍ରମ କରିବାକୁ ପଡିଥାଏ। କିନ୍ତୁ କ୍ରିକେଟ ଖେଳାଳୀଙ୍କ ଭଳି ଆଥଲେଟମାନଙ୍କୁ ଏତେ ପାଉଣା ମିଳିନଥାଏ। କିନ୍ତୁ ଅଲିମ୍ପିକ୍ସରେ ପଦକ ପାଇବା ପରେ ସେହି ସେହି ଆଥଲେଟଙ୍କ ଉପରେ ଧନ ବର୍ଷା ହୋଇଥାଏ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିପୁଳ ପରିମାଣର ପୁରସ୍କାର ରାଶି ଦିଅଯାଇଥାଏ। ଏହାଛଡା ଖେଳାଳୀଙ୍କ ବ୍ରାଣ୍ଡ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଥାଏ। ଦେଖିବା କିପରି ପଦକ ଜିତିବାରେ ଭିନେଶ ଫୋଗଟ, ମନୁ ଭାକର ଏବଂ ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ମୂଲ୍ୟ ୨୫ ଲକ୍ଷରୁ ଆକାଶ ଛୁଇଁଛି।
ନିକଟରେ ପ୍ୟାରିସ୍ ଅଲିମ୍ପିକରେ ପଦକ ଜିତିଥିବା ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ବ୍ରାଣ୍ଡ ଭେଲ୍ୟୁ ଆକାଶ ଛୁଆଁ ହୋଇଯାଇଛି। ସେହିପରି ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷିତ ହୋଇ ନିଶ୍ଚିତ ପଦକରୁ ବଞ୍ଚିତ ହୋଇଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ବ୍ରାଣ୍ଡରେ ମଧ୍ୟ ବଡ଼ ଧରଣର ବୃଦ୍ଧି ହୋଇଛି। ଅଲିମ୍ପିକ୍ସ ଖେଳିବା ପୂର୍ବରୁ ସୁଟର ମନୁ ଭାକର ଏବଂ ଭିନେଶ ଫୋଗଟଙ୍କ ବ୍ରାଣ୍ଡ ମୂଲ୍ୟ ୨୫ ଲକ୍ଷ ଥିଲା। ଯାହା ୬ ଗୁଣା ବୃଦ୍ଧି ପାଇ ଏକ କୋଟି ଟପିଯାଇଛି। ଆଉ ସ୍ୱର୍ଣ୍ଣ ପରେ ଏଥର ରୌପ୍ୟ ପଦକ ଜିତିଥିଲା ଜାଭଲିନ ଖେଳାଳୀ ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ମୂଲ୍ୟ ୩୩୦ କୋଟି ଟଙ୍କା ଛୁଇଁଛି।
ବ୍ରାଣ୍ଡ ମୂଲ୍ୟ ପୂର୍ବରୁ ଏବେ
ନୀରଜ ଚୋପ୍ରା ୨୪୮ କୋଟି ୩୩୦ କୋଟି
ମନୁ ଭାକର ୨୫ ଲକ୍ଷ ୧.୫ କୋଟି
ଭିନେଶ ଫୋଗଟ ୨୫ ଲକ୍ଷ ୭୫ଲକ୍ଷ-୧କୋଟି
ମନୁ ଭାକର ପୂର୍ବରୁ ବର୍ଷକୁ ୨୫ ଲକ୍ଷ ଟଙ୍କାର ଡିଲ୍ କରୁଥିଲେ, ଏବେ ଦେଢ଼ କୋଟି ଟଙ୍କାରେ ଏକ ମୃଦୁ ପାନୀୟ କମ୍ପାନି ଥମ୍ସଅପ ସହିତ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏଥିସହ ଏକ କ୍ରୀଡ଼ା ପୋଷାକ ନିର୍ମାତା ବ୍ରାଣ୍ଡ ସହିତ ମଧ୍ୟ ସେ ଚୁକ୍ତି ସମାପ୍ତ କରିଛନ୍ତି।
ଭିନେଶଙ୍କ ସହ ଚୁକ୍ତି କରିବା ପାଇଁ ଏବେ ପାଖାପାଖି ୧୫ ବ୍ରାଣ୍ଡ ଅପେକ୍ଷାରେ ଅଛନ୍ତି। ଫୁଡ୍, ହେଲ୍ଥ, ନ୍ୟୁଟ୍ରିସନ୍, ଗହଣା, ବ୍ୟାଙ୍କିଂ ଓ ଶିକ୍ଷା ଭିତ୍ତିକ ସଂସ୍ଥା ପାଇଁ ବିଜ୍ଞାପନ କରିବାକୁ ଭିନେଶଙ୍କୁ ଅଫର ରହିଛି। ଫଳରେ ଭିନେଶଙ୍କ ବ୍ରାଣ୍ଡ ମୂଲ୍ୟ ବାର୍ଷିକ ପାଖାପାଖି ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଏବଂ ଏବେର ବ୍ରାଣ୍ଡ ମୂଲ୍ୟ ଦେଖିଲେ ମନୁ ଓ ଭିନେଶଙ୍କ ମୂଲ୍ୟ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି। ରୌପ୍ୟ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜଙ୍କ ବ୍ରାଣ୍ଡ ମୂଲ୍ୟରେ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହୋଇ ୩୩୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩ ସୁଦ୍ଧା ନୀରଜଙ୍କ ବ୍ରାଣ୍ଡ ମୂଲ୍ୟ ପାଖାପାଖି ୨୪୮ କୋଟି ଟଙ୍କା ରହିଥିଲା। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ରାଣ୍ଡ ମୂଲ୍ୟକୁ ଟପିଯାଇଛି ନୀରଜଙ୍କ ବ୍ରାଣ୍ଡ ମୂଲ୍ୟ। ଆଗାମୀ ଦିନରେ ଏହି ପାଉଣା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି।