କନକ ବ୍ୟୁରୋ : ବିହାରରେ ଆଶ୍ଚର୍ୟ୍ୟଜନକ ଘଟଣା । ୨୨ ବର୍ଷୀୟ ଯୁବକଙ୍କ ପେଟ ଭିତରୁ ବାହାରିଲା ଛୁରୀ, ନେଲ କଟର୍, ଚାବି ପେନ୍ଥା । ଘର ଲୋକ ଅନଲାଇନ ଗେମ ଖେଳିବାକୁ ମନା କରିବାରୁ ଯୁବକ ଜଣକ ଏଭଳି କାଣ୍ତ ଭିଆଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ବିହାର ମୋତିହାରୀ ଅଞ୍ଚଳର ଜଣେ ଯୁବକ ଅନଲାଇନ ଗେମ୍ ଖେଳୁଥିଲେ । କିନ୍ତୁ ତାଙ୍କ ପରିବାର ଲୋକ ଏଥିପାଇଁ ଅନୁମତି ନ ଦେବାରୁ ସେ ଏକ ଚାବି ପେନ୍ଥା ସମେତ ଦୁଇଟି ନେଲ୍ କଟର୍ ଏବଂ ଗୋଟିଏ ଛୁରୀ ଗିଳି ଦେଇଥିଲେ । ଏସବୁ ଗିଳିବାର କିଛି ଘଣ୍ଟା ପରେ ଯୁବକଙ୍କ ପେଟରେ କଷ୍ଟ ହେଲା । ଫଳରେ ପରିବାର ଲୋକେ ତାଙ୍କୁ ମୋତିହାରୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏକ୍ସ-ରେ ପରେ ପେଟରେ ଏସବୁ ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ ଡାକ୍ତର ।
ଫଳରେ ଡାକ୍ତର ତୁରନ୍ତ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ । ଅପରେସନ ପରେ ସବୁ ଲୁହା ସାମଗ୍ରୀଗୁଡିକୁ ପେଟରୁ ବାହାର କରିଥିଲେ ଡାକ୍ତର । ଯାହା ଫଳରେ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ରହିଥିବା କହିଛନ୍ତି ଡାକ୍ତର ।