କନକ ବ୍ୟୁରୋ : ବାଳୁତ ପିଲାଙ୍କ ଉପରେ ପାଠପଢ଼ା ବୋଝ ବଢ଼ିବାରେ ଲାଗିଛି । ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୁନିଆ ଏହି ବୋଝକୁ ସଙ୍କଟଜନକ କରୁଛି । ଫଳରେ ପିଲାଙ୍କ ଜୀବନରୁ ବାଲ୍ୟ ସମୟ କଟିବାରେ ଲାଗିଛି। ମାତାପିତା ନିଜନିଜ ପିଲାଙ୍କୁ ପାଠପଢ଼ା ଦୌଡ଼ରେ ଆଗକୁ ଯିବାକୁ ବାଧ୍ୟ କରୁଛନ୍ତି । ଏହା ଯୋଗୁ ବହୁ ପିଲାଙ୍କ ଜୀବନ ଦୀପ ଅକାଳ ଲିଭି ଯାଉଛି ।
ଏଭଳି ଏକ ଲୋମଟାଙ୍କୁରା ଘଟଣା ହରିୟାଣାର ଫରିଦାବାଦରେ ଘଟିଛି । ଜଣେ ବାପା ହୋମ୍ୱାର୍କ ନକରିଥିବାରୁ ନିଷ୍ଠୁର ହୋଇ ଚାରି ବର୍ଷର ଝିଅକୁ ହତ୍ୟା କରିଛନ୍ତି । ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି । ପୁଲିସ କହିଛି ଝିଅ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖି ନପାରିବାରୁ ପିତା ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସେକ୍ଟର ୫୮ ପୁଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ କୃଷ୍ଣ ଜୟସୱାଲ (୩୧)ଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟରେ ହାଜର କରାଯାଇ ଗୋଟିଏ ଦିନର ପୁଲିସ ରିମାଣ୍ଡରେ ପଠାଯାଇଛି । ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଖେରଟିଆ ଗାଁର ବାସିନ୍ଦା ଜୟସୱାଲ ଫରିଦାବାଦରେ ତାଙ୍କ ପରିବାର ସହିତ ଏକ ଭଡ଼ା ଘରେ ରହୁଥିଲେ ।
କ୍ରୋଧରେ ପିଟିଲେ
ପୁଲିସ କହିଛି ଯେ, ଜୟସ୍ୱାଲ ଓ ତାଙ୍କ ସ୍ତ୍ରୀ ଉଭୟ ଘରୋଇ କମ୍ପାନିରେ କାମ କରୁଥିଲେ । ଯେତେବେଳେ ମାଆ ଦିନରେ କାମକୁ ଯାଉଥିଲେ, ଜୟସ୍ୱାଲ ପିଲାମାନଙ୍କର ଯତ୍ନ ନେବା ଓ ତାଙ୍କ ଝିଅର ପାଠପଢ଼ା ତଦାରଖ କରିବା ପାଇଁ ଘରେ ରହୁଥିଲେ । ଏହି ଘଟଣା ଜାନୁଆରି ୨୧ ତାରିଖରେ ଘଟିଥିଲା । ତଦନ୍ତକାରୀମାନେ କହିଛନ୍ତି ଯେ, ଜୟସ୍ୱାଲ ଝିଅଟିକୁ ଏକ ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖିବାକୁ କହିଥିଲେ । କିନ୍ତୁ ପିଲାଟି ଏହା କରିପାରିନଥିଲା । ଫଳରେ ପିତା କ୍ରୋଧରେ ପିଟିବା ଆରମ୍ଭ କରିଥିଲେ । ସନ୍ଧ୍ୟାରେ ମାଆ କାମରୁ ଫେରି ଝିଅକୁ ମୃତ ଅବସ୍ଥାରେ ପାଇଥିଲେ । ସେ ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଫରିଦାବାଦ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଏକ ମାମଲା ରୁଜୁ କରାଯାଇଛି ଓ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନିଆଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।
ସମାଜ ପାଇଁ ଚେତାବନୀ
ଏହି ଘଟଣା ପିଲାମାନଙ୍କ ଉପରେ ଶିକ୍ଷକଙ୍କ ଚାପ ଓ ପିତାମାତାଙ୍କ ବୃଦ୍ଧି ପାଉଥିବା ହିଂସାକୁ ସ୍ପଷ୍ଟ କରିଛି । ଏକ ନିଷ୍ପାପ ପିଲା, ଯିଏ ଏପର୍ଯ୍ୟନ୍ତ ଦୁନିଆ ବିଷୟରେ କିଛି ଜାଣି ନଥିଲା ଖେଳିବା ବୟସରେ ପାଠପଢ଼ାର ବୋଝ ମୁଣ୍ଡେଇଥିଲା ଗଣିତର ସଂଖ୍ୟା ଲେଖି ନ ପାରିବାରୁ ନିଜ ଜୀବନ ହରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/man-kills-4-year-old-daughter-2026-01-24-17-02-46.jpg)