କନକ ବ୍ୟୁରୋ: ଜେଲ୍‌ରୁ ଫେରିଲେ କୁକୁର ହତ୍ୟାକାରୀ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଜଣେ ବ୍ୟକ୍ତି କୁକୁରକୁ ଗୋଇଠା ମାରିବା ପରେ ସେ ତଳ ପଡ଼ିଯାଇଥିଲା । ପରେ ପରେ ପେଟ୍ରୋଲ୍‌ ଢାଳି ତା ଦେହରେ ନିଆଁ ଲଗାଇଦେଇଥିଲେ । ଘଟଣାସ୍ଥଳରେ କୁକୁରର ମୃତ୍ୟୁ ହୋଇଥିଲା । ମାମଲାରେ ସଂପୃକ୍ତ ବ୍ୟକ୍ତି ଜେଲ୍‌ ବି ଯାଇଥିଲେ । ହେଲେ ଏବେ ତାଙ୍କୁ ବେଲ୍‌ ଦେଇଛନ୍ତି କୋର୍ଟ । ବେଲ୍‌ରୁ ସେ ତ ମୁକୁଳିଛନ୍ତି ହେଲେ ସୋସିଆଲ ମିଡିଆରେ ଲୋକ ତାଙ୍କୁ କହୁଛନ୍ତି ମନଷ୍ଟାର୍‌ ଅର୍ଥାତ୍‌ ନରରାକ୍ଷସ । 

Advertisment

କୁକୁର ହତ୍ୟାକାରୀକୁ ବେଲ୍‌ ମିଳିଛି । ଅବଶ୍ୟ ଏ ଘଟଣା ଭାରତରେ ନୁହେଁ ବରଂ ଆମେରିକାରେ ଘଟିଥିଲା । ହେଲେ ସୋସିଆଲ ମିଡିଆରେ କିନ୍ତୁ ଜୋରଦାର ଚର୍ଚ୍ଚା ହେଉଛି । ସୂଚନାଅନୁସାରେ, ନ୍ୟୁୟର୍କ ସହରରେ ଏକ କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଜାଳି ଦେଇଥିବା ଅଭିଯୁକ୍ତକୁ ଜେଲରୁ ମୁକ୍ତ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଲୋକମାନେ ଅଭିଯୁକ୍ତକୁ "ରାକ୍ଷସ" ବୋଲି କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଘଟଣାଟି କୁଇନ୍ସ ଅଞ୍ଚଳରେ ଘଟିଥିଲା । ଯେଉଁଠାରେ ୨୯ ବର୍ଷୀୟ ଇସାୟା ଗୁର୍ଲି ଏକ ପିଟ୍ ବୁଲ୍ ପ୍ରଜାତିର କୁକୁରକୁ ପ୍ରଥମେ ଗୋଇଠା ମାରି ହତ୍ୟା କରିବା ଏବଂ ପରେ ତା' ଶରୀରରେ ତେଲ ଢାଳି ନିଆଁ ଲଗାଇ ଦେବାର ଅଭିଯୋଗରେ ଗିରଫ କରାଯାଇଥିଲା । ପୂରା ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।  ଯେଉଁଥିରେ ଗୁର୍ଲି କୁକୁରଟିକୁ ଏକ ଶକ୍ତ ଦଉଡିରେ ବାନ୍ଧି ରାସ୍ତାରେ ଘୋଷାଡ଼ି ନେଉଥିବାର ଦେଖାଯାଇଥିଲା । ପରେ ସେ କୁକୁରଟିକୁ ନିଆଁ ଲଗାଇ ପୋଡିଦେଇଥିଲେ । ପୁଲିସ୍‌ ସିସିଟିଭି ଫୁଟେଜ୍ ଆଧାରରେ ଗୁର୍ଲିଙ୍କୁ ଚିହ୍ନଟ କରି କୁଇନ୍ସ ସେଣ୍ଟର ମଲରୁ ଗିରଫ କରିଥିଲା । ତାଙ୍କ ବିରୋଧରେ ପଶୁଙ୍କ ପ୍ରତି ନିଷ୍ଠୁରତା, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ଆପରାଧିକ ମାମଲା ରୁଜୁ କରାଯାଇଥିଲା । ପଚରାଉଚରା ବେଳେ ଗୁର୍ଲି ସ୍ୱୀକାର କରିଥିଲେ ଯେ ସେ ହିଁ କୁକୁରଟିକୁ ଗୋଇଠା ମାରି ହତ୍ୟା କରିଥିଲେ । ତେବେ ଆଇନଗତ କାରଣରୁ ତାଙ୍କୁ ଜେଲରୁ ବେଲ୍‌ ଦିଆଯାଇଛି । ପୂରା ଘଟଣାରେ ଆମେରିକୀୟ ପଶୁ ନିରୋଧ ସଂସ୍ଥା (ASPCA) ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛି ।