କନକ ବ୍ୟୁରୋ: ଅପରେସନ ‘ସିନ୍ଦୂର’ ପରେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି ଭାରତ । ମିସାଇଲ୍ ପରୀକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତୀୟ ସେନା ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ୨୪ ଘଣ୍ଟା ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଆକାଶ ପ୍ରାଇମ୍, ଅଗ୍ନି-୧ ଏବଂ ପୃଥ୍ୱୀ-୨ ଭଳି ମିସାଇଲ୍ ସଫଳ ପରୀକ୍ଷଣ କରି ଭାରତ ହାସଲ କରିଛି ତିନୋଟି ବଡ଼ ସଫଳତା । ଭାରତର ଏହି ଶକ୍ତି ପ୍ରଦର୍ଶନ ଦେଖି ପାକିସ୍ତାନ ଛାତିରେ ଏବେ ଛନକା ପଶିଛି ।
ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତ ପୃଥ୍ୱୀ-୨ ଏବଂ ଅଗ୍ନି-୨ କ୍ଷୁଦ୍ର ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି , ଉଭୟ କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏହି ପରୀକ୍ଷଣ ଗୁଡ଼ିକ ଓଡ଼ିଶାର ଚାନ୍ଦିପୁରରେ ଅବସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ର ତତ୍ତ୍ୱାବଧାନରେ ଉଭୟ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ।
ଲଦାଖରେ ‘ଆକାଶ ପ୍ରାଇମ୍’ର ପରୀକ୍ଷଣ କରାଯାଇଛି
୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସଫଳ ପରୀକ୍ଷଣ । ବୁଧବାର ଦିନ ଭାରତ ତାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି । ଭାରତୀୟ ସେନା ଲଦାଖ ସେକ୍ଟରରେ ପ୍ରାୟ ୧୫ ହଜାର ଫୁଟ ଉଚ୍ଚତାରେ 'ଆକାଶ ପ୍ରାଇମ୍'ର ସଫଳତାର ସହିତ ପରୀକ୍ଷଣ କରିଥିଲା । ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭାରତ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ହୋଇଛି ।
ଅଗ୍ନି-୧ ଏବଂ ପୃଥ୍ୱୀ-୨ ବିଷୟରେ କ’ଣ ବିଶେଷତା ଅଛି?
ଅଗ୍ନି-୧ର ୧୨୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହାର ଗତି ଘଣ୍ଟା ପ୍ରତି ବେଗ ପ୍ରାୟ ୯୦୦୦ କିଲୋମିଟର । ପୃଥ୍ୱୀ-୨ ବିଷୟରେ କହିବାକୁ ଗଲେ, ଏହା ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦକୁ ସଠିକ୍ ଭାବରେ ଆକ୍ରମଣ କରିବାକୁ ସକ୍ଷମ । ଏହା ତରଳ ଇନ୍ଧନରେ ଚାଲିଥାଏ ।
‘ଆକାଶ ପ୍ରାଇମ୍’ର ବିଶେଷତ୍ୱ କ’ଣ?
ଆକାଶ ପ୍ରାଇମ୍ ହେଉଛି ଏୟାର ଡିଫେନ୍ସ ପ୍ରଣାଳୀର ଏକ ଅପଗ୍ରେଡେଡ୍ ସଂସ୍କରଣ, ଯାହାକୁ ଭାରତୀୟ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏହା ୩୦ରୁ ୩୫ କିଲୋମିଟର ଦୂରତାରେ ଲକ୍ଷ୍ୟଭେଦ କରିପାରିବ । ଆକାଶ ପ୍ରାଇମ୍ ୧୮ ରୁ ୨୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପ୍ରଭାବ ପକାଇବ । ଏହା ଯୁଦ୍ଧ ବିମାନ ଏବଂ କ୍ରୁଜ୍ ମିସାଇଲ୍ ସହିତ ଅତ୍ୟାଧୁନିକ ଡ୍ରୋନ୍ ମଧ୍ୟ ଖସାଇ ପାରିବ ।
ଭାରତୀୟ ସେନାରେ ଖୁବଶୀଘ୍ର ସାମିଲ ହେବ 'ଆକାଶ ପ୍ରାଇମ୍'
'ଆକାଶ ପ୍ରାଇମ୍' ମିସାଇଲର ସଫଳ ପରୀକ୍ଷଣ ସେନାର ବାୟୁ ପ୍ରତିରକ୍ଷା ୱିଙ୍ଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିଲା । ଡିଆରଡିଓ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ‘ଆକାଶ ପ୍ରାଇମ୍’ ଭାରତୀୟ ସେନାର ତୃତୀୟ ଏବଂ ଚତୁର୍ଥ 'ଆକାଶ ରେଜିମେଣ୍ଟ'ରେ ଅନ୍ତର୍ଭୁକ୍ତ କରାଯିବ। ଅପରେସନ୍ ‘ସିନ୍ଦୂର'ରେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ସେନାର ଚାଇନିଜ୍ ଲଢ଼ୁଆ ବିମାନ ଏବଂ ତୁର୍କୀ ଡ୍ରୋନ୍ ଦ୍ୱାରା କରାଯାଇଥିବା ଆକ୍ରମଣକୁ ବିଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।