କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ମାଓ ଏନ୍‌କାଉଣ୍ଟର ଓଡ଼ିଶା ପାଇଁ ବି ଆଣିଛି ବଡ଼ ଆଶ୍ୱସ୍ତି । କାରଣ ନିପାତ ୧୦ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ପୁଲିସ ଟାର୍ଗେଟ୍‌ରେ ଥିବା ୨ କୁଖ୍ୟାତ ମାଓନେତା ବାଲକ୍ରିଷ୍ଣା ଓ ପ୍ରମୋଦ । ଛତିଶଗଡ଼ ଜଙ୍ଗଲରେ ଲୁଚି ସୀମାରେ ସକ୍ରିୟ ରହିବା ସହ ସେମାନେ ଓଡ଼ିଶାରେ ଲାଲଗଡ଼ ମଜଭୁତ କରିବାକୁ କସରତ ଚଳାଇଥିଲେ । ଏହି ଦୁଇ ମୁଣ୍ଡ ଗଡ଼ିବା ପରେ ଓଡ଼ିଶା କମିଟି ଦୁର୍ବଳ ହେବା ସୁନିଶ୍ଚିତ ବୋଲି କୁହାଯାଉଛି ।

Advertisment

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧର ମୈନପୁର ବନଖଣ୍ଡ । ଏଠାରେ ଥିବା ମଟାଲ୍ ଜଙ୍ଗଲରେ ଗଡ଼ିଛି ୧୦ ମାଓ ମୁଣ୍ଡ । ଆଉ ଏ ହେଉଛି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ମନୋଜ ଓରଫ୍ ମୋଡେମ୍ ବାଲକ୍ରିଷ୍ଣା ଏବଂ ପ୍ରମୋଦ ସମେତ ସେହି ସମସ୍ତ ନକ୍ସଲଙ୍କ ମୃତଦେହ । ୬ ପୁରୁଷ ଓ ୪ ମହିଳା ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ଗରିଆବନ୍ଧ ଆର୍‌ଓକୁ ଅଣାଯାଇଥିବା ବେଳେ, ସେମାନଙ୍କ ଠାରୁ ଜବତ ଏକେ-୪୭, ଏସ.ଏଲ.ଆର୍‌, ଇନସାସ୍ ରାଇଫଲ ଓ ପିସ୍ତଲ ଆଦି ବିପୁଳ ମାରଣାସ୍ତ୍ର ପ୍ରଦର୍ଶିତ ହୋଇଛି ।

ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ଥିବା ମୋଡେମ୍ ବାଲକ୍ରିଷ୍ଣା ଏବଂ ତାର ଘନିଷ୍ଠ ସହଯୋଗୀ ପ୍ରମୋଦ ଓରଫ ପାଣ୍ଡୁ । ଏହି ଦୁଇ କୁଖ୍ୟାତ ମାଓ ନେତା ଟଳିବା ପରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ଆଶ୍ୱସ୍ତି । ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ବାଲକ୍ରିଷ୍ଣା ୧୯୮୩ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ସେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡ଼ା ଅଞ୍ଚଳରେ ସଂଗଠନ ମଜଭୁତ କରୁଥିଲା । ବାଲକ୍ରିଷ୍ଣାକୁ ଧରିବା ପାଇଁ ମୋଟ ଦେଢ଼ କୋଟି ପୁରସ୍କାର ଘୋଷଣା କରିଥିଲା ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ । ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ପ୍ରମୋଦ ମୁଣ୍ଡ ଉପରେ ବି ୬୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ବିମଲ, ବିକ୍ରମ, ଉମେଶ, ସମୀର, ରଂଜିତା, ସିନ୍ଧୁ ଓ ଆରତି ।