କନକ ବ୍ୟୁରୋ : ମାଓମୁକ୍ତ ଅଭିଯାନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହା ଯେଉଁ ସଂକଳ୍ପ ନେଇଥିଲେ ତାହା ଧୀରେ ଧୀରେ ସତ ହେଉଛି । ଲାଲବାହିନୀର ନିପାତ ପାଇଁ ଆରମ୍ଭ ହୋଇଥିବା ସବୁଠାରୁ ବଡ଼ ଅପରେସନରେ ଦଳପତିଙ୍କ ନିହତ ପରେ ମାଓ ସଂଗଠନର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ହୋଇଛି । ଅନ୍ୟପଟେ ଶୋକାକୁଳ ପରିବେଶରେ ସହିଦ ଯବାନଙ୍କ ଶେଷ ସମ୍ମାନ ପ୍ରଦାନ କରିଛନ୍ତି ଛତିଶଗଡ଼ ପୁଲିସ ସମେତ ସାରଦେଶ ।
ମାଓ ମୁଖିଆର ନିପାତ ପରେ ଖୁସି ମନାଇଛନ୍ତି ଡିଆରଜି ଯବାନ । ଛତିଶଗଡ଼ ନାରାୟଣପୁର ପୁଲିସ ମୁଖ୍ୟାଳୟରେ ଧାଡ଼ି ହୋଇ ଥୁଆ ହୋଇଛି ମାଓବାଦୀଙ୍କ ମୃତଦେହ । ଆଉ ଧାଡ଼ି ଭିତରେରେ ରହିଛି ମାଓବାଦୀ ମୁଖିଆର ମୃତଦେହ । ୨୭ ମାଓବାଦୀଙ୍କ ସହ ପଲିଟ୍ ବ୍ୟୁରୋ ସେଣ୍ଟ୍ରାଲ କମିଟିର ମହାସଚିବ ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁ ମଧ୍ୟ ନିହତ ହୋଇଛନ୍ତି । ତାଙ୍କ ନିକଟରୁ ଉଦ୍ଧାର ହୋଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଏକ-୪୭, ଇନସାସ, ଏସଏଲଆର ସମେତ ୨୮ ଟି ବନ୍ଧୁକ ମଧ୍ୟ ଜବତ ହୋଇଛି ।
୪ ଦଶକ ଧରି ନମ୍ବାଲା କେଶବ ରାଓ ମାଓ ସଙ୍ଗଠନରେ ସକ୍ରିୟ ଥିଲେ । ୨୦୧୮ରେ ଗଣପତିଙ୍କ ଅବସର ପରେ ମାଓ ସଚିବ ହୋଇଥିଲେ । ଏନଆଇଏର ସ୍କାନରରେ ଥିବା ବାସବ ରାଜୁଙ୍କ ନାଁରେ ଦେଢ କୋଟି ଟଙ୍କା ପୁରସ୍କାର ରାଶି ଥିଲା । ୨୦୧୫-୨୦୧୬ରେ ବାସବରାଜୁ କନ୍ଧମାଳ ଜଙ୍ଗଲରେ ଥାଇ ପଶ୍ଚିମ ଓ ଦକ୍ଷିଣ କରିଡର ଗଠନ କରିଥିଲେ । ଏଥିସହ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡକୁ ନେଇ ସ୍ୱତନ୍ତ୍ର ଏସ.ଡି.ଏସ ଏବଂ କେକେବିଏନ ଡିଭିଜନ ଗଠନ କରି ଥିଲେ । ନୟାଗଡ଼ ଓ କୋରାପୁଟ ଅସ୍ତ୍ରାଗାର ଲୁଟ ଘଟଣାରେ ନମ୍ବାଲା କେଶବଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଜଣାପଡିଛି । ନମ୍ବାଲାଙ୍କ ମୃତ୍ୟୁ ପରେ ମିଶନ ୨୦୨୬ ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ ହେବ ବୋଲି ଆଶା କରାଯାଉଛି ।
ଏନକାଉଣ୍ଟର ବେଳେ ପ୍ରାଣ ହରାଇଥିବା ଦୁଇ ଡିଆରଜି ଯବାନ ରମେଶ ହେମଲା ଓ ଖୋଟଲୁରାମ କୋର୍ରାମଙ୍କୁ ଦିଆଯାଇଛି ଶେଷ ସମ୍ମାନ ।