କନକ ବ୍ୟୁରୋ : ଗୁଜରାଟରୁ ଆସିଛି ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କ ଛାତି ଥରାଇଦେବ । ନଦୀ ଉପରେ ନିର୍ମିତ ପୋଲ ମଝିରୁ ଛିଣ୍ଡି ପଡ଼ିଛି । ବ୍ରିଜ୍ ଉପରେ ଗାଡ଼ି ଚଳାଚଳ କରୁଥିବା ବେଳେ ବ୍ରିଜଟି ମଝିରୁ ଭାଙ୍ଗି ନଦୀକୁ ଗଳିପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ଗାଡ଼ି ମଧ୍ୟ ନଦୀକୁ ଖସିପଡ଼ିଛି । ନଦୀରେ ପ୍ରବଳ ପାଣିଥିବା ଅନେକ ଗାଡ଼ି ପାଣିରେ ବୁଡ଼ିଯାଇଛି । ଗାଡ଼ିରେ ଥିବା ଲୋକେ ବି ପାଣିରେ ବଡ଼ିଯାଇଛନ୍ତି । ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଅନେକ ଲୋକଙ୍କ ଜୀବନ ଚାଲିଯାଇଛି, ଏବଂ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ମିଳିଥିବା ତାଜା ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ପୋଲ ଭାଙ୍ଗିଯିବା ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ ୯ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ଆଜି ସକାଳ ସାଢେ ୮ଟାରେ ପୋଲଟି ଭୁଶୁଡି ପଡିବା ପରେ ନଦୀ ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା । ପୋଲ ଉପରେ ଟ୍ରାଫିକ୍ ଜାମ୍ ହୋଇଥିବାରୁ ଏପରି ଅଘଟଣ ଘଟିଲା । ପୁରୁଣା ପୋଲ ଥିବାରୁ ଏହା ଭୁଶୁଡି ପଡିଲା । ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ଯାନ୍ ନଦୀରେ ପଡିଛି । ଗୋଟେ ଟ୍ରକ୍ ଝୁଲନ୍ତା ଅବସ୍ଥାରେ ପୋଲ ଉପରେ ରହିଛି ।
ଗୁଜୁରାଟ ବଡୋଦରା ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିଲା । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । ହଠାତ୍ ପୋଲ ଭାଙ୍ଗିବା ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।
ଆଜି ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।