କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଚାରିଆଡ଼େ ଖାଲି ପାଣି ହିଁ ପାଣି । ଜଳବନ୍ଦୀ ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ଯୋଗୁ ବମ୍ବେ ହାଇକୋର୍ଟ ମଧ୍ୟ ଶୀଘ୍ର ବନ୍ଦ ହୋଇଯାଇଛି । ସଂଧ୍ୟା ୫ଟା ପରିବର୍ତ୍ତେ ଅପରାହ୍ଣ ୧୨ଟା ୩୦ରେ କୋର୍ଟ ବନ୍ଦ କରାଯାଇଛି । ଆଗାମୀ ୪୮ ଘଣ୍ଟା ପାଇଁ ୫ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ସହରର ପ୍ରାୟ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି ।

Advertisment

ରାସ୍ତାଘାଟରେ ଜଳବନ୍ଦୀ ସମସ୍ୟା ପାଇଁ ଯାତାୟତ ଠପ୍‌ ହୋଇପଡ଼ିଥିବା ବେଳେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । ୮ଟି ଷ୍ଟେସନରେ ପ୍ରବଳ ବର୍ଷା କାରଣରୁ ରେଳସେବା ବାଧାପ୍ରାପ୍ତ ହୋଇଛି । ଥାଣେ, କଲ୍ୟାଣ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ ଭଳି ଟ୍ରେନ ଗୁଡ଼ିକ ଠିଆ ହୋଇରହିଛି । କେବଳ ରାସ୍ତା ଓ ରେଳପଥ ନୁହେଁ ପ୍ରବଳ ବର୍ଷା କାରଣରୁ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ୮ଟି ବିମାନ ସୁରତ, ଅହମ୍ମଦାବାଦ ଓ ହାଇଦ୍ରାବାଦକୁ ସ୍ଥାନାନ୍ତରିତ କରାଯାଇଛି । ୪୦୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ଦେଖାଦେଇଛି ।

ମୁମ୍ବାଇରେ ଲଗାତାର କିଛିଦିନ ହେବ ପ୍ରବଳ ବର୍ଷା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ୟା ଦେଖାଗଲାଣି । ସେଥିପାଇଁ ଆଗାମୀ ୪୮ ଘଣ୍ଟା ମୁମ୍ବାଇ, ଥାଣେ, ରାଇଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଜିଲ୍ଲାକୁ ହାଇଆଲର୍ଟ କରାଯାଇଛି । ସତର୍କ ରହିବାକୁ ଲୋକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଆଇଏମଡି ଅନୁଯାୟୀ, ୨୧ ପର୍ଯ୍ୟନ୍ତ ମୁମ୍ବାଇରେ ଜାରି ରହିବ ପ୍ରବଳ ବର୍ଷା । ମୁମ୍ବାଇର ପ୍ରାୟ ଅଞ୍ଚଳରେ ଘରଗୁଡ଼ିକ ପାଣି ଘେରରେ ରହିଛି । ଘର ଭିତରେ ପାଣି ଲହଡ଼ି ମାରୁଥିବାର ଦେଖିବାକୁ ମିଳିଛି । ରାସ୍ତା ଗୁଡ଼ିକ ସୁଇମିଂ ପୁଲ ପାଲଟିଛି । ପିଲାମାନେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପହଁରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।