କନକ ବ୍ୟୁରୋ : ମୁମ୍ବାଇରେ ମାଗଣା ହେଲା ଟୋଲ ଫି । ଆଉ ଦେବାକୁ ପଡିବନି ଟୋଲ ଫି ଟଙ୍କା । ଆଜି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଥିବା ବେଳେ ସୋମବାର ଏଭଳି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଲାଇଟ ମୋଟର ଭେଇକିଲ ତଥା ହାଲୁକା ଗାଡି କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ ।

Advertisment

ମୁମ୍ବାଇକୁ ସଂଯୋଗ କରୁଥିବା ୫ଟି ଟୋଲ ଗେଟରେ ଏହି ସୁବିଧା ଉପଲବ୍ଧ ହେବ । ବିଧାନସଭା ନିର୍ବାଚନ ପୁର୍ବରୁ ଶେଷ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ ସରକାର । ମୁମ୍ବାଇର ଦହିସାର, ଭାସି, ଆରୋଲି ଏବଂ ତିନହନ୍ତା ନାକା ଟୋଲ ଟେଗଷର ଏହି ସୁବିଧା ମିଳିବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ହରିୟଣାରେ ପରାଜୟ ପରେ ମହାରାଷ୍ଟ୍ର ନିର୍ବାଚନ ପାଇଁ ଗରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ମହାରାଷ୍ଟ୍ରର ତୁଙ୍ଗ କଂଗ୍ରେସ ନେତା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଶରଦ ପାୱାରଙ୍କ ଭଳି ବରିଷ୍ଠ ନେତା ଯୋଗଦେବେ । ନିର୍ବାଚନ ପାଇଁ ମହାବିକାଶ ଆଘାଡି ମେଣ୍ଟ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଗୋଟିଏ ପଟେ ବିଜେପି, ଶିବସେନା, ଅଜିତ ପାୱରଙ୍କ ଏନସିପି ଗୋଷ୍ଠୀ ଥିବା ବେଳେ ଅନ୍ୟ ପଟେ କଂଗ୍ରେସ, ଶିବସେନା(ୟୁବିଟି), ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ଅଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ବ୍ୟାକଫୁଟରେ ପଡିଯାଇଥିବା ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଟୋଲ ଫି ମାଗଣା କରି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ।