Lord Jesus Photograph: (Kanak News)
କନକ ବ୍ୟୁରୋ : ଧରାବତରଣ କଲେ ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ମଧ୍ୟରାତ୍ରରେ ଯୀଶୁଙ୍କ ଧରାବତରଣକୁ ନେଇ ଉତ୍ସବମୁଖର ହୋଇଛି ରାଜ୍ୟର ସବୁ ଚର୍ଚ୍ଚ । ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚକୁ ଆସି ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଛନ୍ତି । ଯୀଶୁଙ୍କ ଜୀବନୀ ଓ ଆଗମନର ଉଦ୍ଦେଶ୍ୟ ଏବଂ ତାଙ୍କ ଗୁଣଗାନ ଚର୍ଚ୍ଚା କରାଯାଉଛି । ଏହି ପବିତ୍ର ଅବସରରେ ପ୍ରଭୁ ଯୀଶୁଙ୍କୁ ଅଭିନନ୍ଦନ କରିବାକୁ ସମସ୍ତେ ଏକାଠି ହୋଇଛନ୍ତି ।
ଭୁବନେଶ୍ୱରର ସତ୍ୟନଗର ପାଖରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେରଳର ଥ୍ରିସୁରରେ ଥିବା କାଥେଡ୍ରାଲକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ମୁମ୍ବାଇରେ ଥିବା ଚର୍ଚ୍ଚରେ ଖ୍ରୀଷ୍ଟିଆନ ଶ୍ରଦ୍ଧାଳୁମାନେ ଏକାଠି ହୋଇ କାରୋଲ ଗାନ କରିଥିଲେ ।
Follow Us