କନକ ବ୍ୟୁରୋ: କୁକୁର କାମୁଡିଲେ ଆଜୀବନ କାରାଦଣ୍ଡ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ…ହେଲେ ପୂରା ସତ । କାହିଁକି ନା…ବୁଲା କୁକୁରଙ୍କ ସଂଖ୍ୟା ସାଙ୍ଘାତିକ ଭାବରେ ବଢିବାରେ ଲାଗିଲାଣି । ଖାଲି ସଂଖ୍ୟା ବଢ଼ିଛି ତାହା ନୁହେଁ ବରଂ ରାସ୍ତାରେ ଲୋକଙ୍କୁ କାମୁଡ଼ୁଥିବା ଦେଖାଯାଉଛି । ହେଲେ ଗୋଟିଏ କୁକୁର ଦୁଇଥର କାମୁଡ଼ିଲେ ଆଜୀବନ କାରାଦଣ୍ଡ ଦିଆଯିବ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । 

Advertisment

ଯୋଗୀଙ୍କ କଡ଼ା ନିୟମ
ଦୁଇଥର କୁକୁର କାମୁଡ଼ିଲେ ଆଜୀବନ କାରାଦଣ୍ଡ
ନୂଆ ନିୟକୁ ନେଇ ସବୁଠି ଚର୍ଚ୍ଚା
ବଢୁଛି ବୁଲାକୁକୁରଙ୍କ ଆତଙ୍କ
ନଗର ନିଗମକୁ ଦେଲେ ନିର୍ଦ୍ଦେଶ

ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢ଼ିଲାଣି । କେବଳ ଭୁବନେଶ୍ୱର ନୁହେଁ ବରଂ ପୂରା ଦେଶରେ ସମାନ ସ୍ଥିତି । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ହେଲେ ୟୁପିରେ ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ବାରମ୍ବାର ଏମିତି ମାମଲା ସାମ୍ନାକୁ ଆସିବା ପରେ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯୋଗୀ ସରକାର । ସେଇଥି ଲାଗି ତ ଯଦି କୁକୁର ଦୁଇଥର କାମୁଡ଼ୁଛନ୍ତି ତାଙ୍କୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟୁପିରେ ଦୁଇ ଥର କାମୁଡୁଥିବା କୁକୁରଙ୍କୁ ଦଣ୍ଡ ମିଳିବ । ଆଉ ସେହି କୁକୁରଙ୍କୁ ଆଜୀବନ ଆନିମଲ ବର୍ଥ କଣ୍ଟ୍ରୋଲ ବା ଏବିସି ସେଣ୍ଟରରେ ଛାଡି ଦିଆଯିବ । ସରକାର ଏନେଇ ସମସ୍ତ ନଗର ନିଗମକୁ ଆଦେଶ ଜାରି କରିଛନ୍ତି । 

ପ୍ରଥମଥର କାମୁଡ଼ିଲେ ୧୦ ଦିନର ଦଣ୍ଡ
ଦ୍ବିତୀୟ ଥର କାମୁଡ଼ିଲେ ଆଜୀବନ ଜେଲ୍‌

ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି ଜଣେ ବ୍ୟକ୍ତିକୁ ପ୍ରଥମ ଥର କୁକୁର କାମୁଡ଼ିଥାଏ ତାହେଲେ ସେହି କୁକୁରକୁ ୧୦ ଦିନର ଦଣ୍ଡ ଦିଆଯିବ । ଏହି ସମୟରେ କାମୁଡ଼ିବା କୁକୁରକୁ ଏନିମାଲ ବର୍ଥ କଣ୍ଟ୍ରୋଲ ସେଣ୍ଟରରେ ରଖାଯିବ । ଏହା ପରେ କୁକୁରର ଶରୀରରେ ମାଇକ୍ରୋଚିପ୍ ଲଗାଯାଇ ଛଡାଯିବ । ମାଇକ୍ରୋଚିପ୍‌ ଲାଗିବା ପରେ କୁକୁର ଉପରେ ନଜ ରଖାଯିବ । ଯଦି ସେହି କୁକୁର ଦ୍ୱିତୀୟ ଥର କାହାକୁ କାମୁଡ଼ିବ ତେବେ ତିନି ଜଣିଆ ଟିମ୍‌ ଏହାର ତଦନ୍ତ କରିବ । ତଦନ୍ତ ଟିମ୍‌ରେ ପଶୁଧନ ଅଧିକାରୀ, ସ୍ଥାନୀୟ ନିଗମର ପ୍ରତିନିଧି ଏବଂ ଏସପିସିଏର ସଦସ୍ୟ ରହିବେ । ଏହାପରେ ଜଣାପଡ଼ିବ କାହିଁକି କାମୁଡ଼ିଲା କୁକୁର । 

କେବଳ ୟୁପିରେ ନୁହେଁ ବରଂ ଓଡ଼ିଶାରେ ବି ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ରାସ୍ତାରେ କୁକୁରଙ୍କ ପାଇଁ ଦୁର୍ଘଟଣା ହେଉଛି ସତ ଆଉ କେତେବେଳେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡ଼ିଛି । ଏହାରି ଭିତରେ ବିଏମ୍‌ସି କୁକୁର ଗଣନା ଆରମ୍ଭ କରିଛି । ତେବେ ୟୁପି ପରି ଓଡ଼ିଶାରେ ବି ନିୟମ ହେଉ ବୋଲି ସାଧାରଣରେ ଦାବି ହେଉଛି । ଅବଶ୍ୟ ଏନେଇ ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା ଚାଲିଛି ।