କନକ ବ୍ୟୁରୋ: ଇପିଏଫ୍‌ଓର ନୂଆ ଘୋଷଣା । ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଦରକାର । କାରଣ ଇପିଏଫ୍‌ଓ ଘୋଷଣା କରିଛି ଯେ ଯେଉଁମାନେ ୧ ବର୍ଷ ପର୍ଯ୍ୟନ୍ତ ନିରନ୍ତର ସେବା ପ୍ରଦାନ କରିଛନ୍ତି ଯଦି ସେମାନଙ୍କର କୌଣସି ପରିସ୍ଥିତିରେ ମୃତ୍ୟୁ ହୁଏ ସେବେ ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ପରିବାରରୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ଇପିଏଫ୍‌ଓ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPFO ଏହାର କର୍ମଚାରୀ ଜମା ସଂଯୁକ୍ତ ବୀମା (EDLI) ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି । 

Advertisment

ପୂର୍ବରୁ ଯେଉଁ କର୍ମଚାରୀମାନେ କାମ କରିବାର ପ୍ରଥମ ବର୍ଷେ ଭିତରେ ପ୍ରାଣ ହରାଉଥିଲେ ସେମାନଙ୍କ ପରିବାର ପାଇଁ କୌଣସି ସର୍ବନିମ୍ନ ବୀମା ରାଶିର ବ୍ୟବସ୍ଥା ନଥିଲା । ହେଲେ ଏଥିରେ ସଂଶୋଧନ କରାଯାଇଛି । କୁହାଯାଉଛି କି, ପ୍ରତିବର୍ଷ ପ୍ରାୟ ୫ ହଜାର କର୍ମଚାରୀଙ୍କର ଏମିତି ପ୍ରାଣ ଯାଉଥିଲା । ଯାହାଦ୍ବାରା ସେମାନେ ସିଧାସଳଖ କୌଣସି ଲାଭ ପାଉନଥିଲେ । ହେଲେ ଏବେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାର କରାଯିବ । 

EDLI ଯୋଜନା କ'ଣ?

ଇଡିଏଲଆଇ (Employees' Deposit Linked Insurance) ଯୋଜନା ହେଉଛି ଇପିଏଫଓ ଦ୍ୱାରା ପରିଚାଳିତ ଏକ ବୀମା ଯୋଜନା । ଯାହା ଘରୋଇ କ୍ଷେତ୍ରର ବେତନ ପ୍ରାପ୍ତ କର୍ମଚାରୀଙ୍କୁ ଜୀବନ ବୀମା ସୁରକ୍ଷା ପ୍ରଦାନ କରେ । ଚାକିରି ସମୟରେ କୌଣସି ସକ୍ରିୟ ସଦସ୍ୟଙ୍କ ମୃତ୍ୟୁ ହେଲେ ତାଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏହି ଯୋଜନା ଅଧୀନରେ ସର୍ବାଧିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିଥାଏ ବୋଲି ସୂଚନା ମିଳିଛି ।
ହେଲା ଗୁରୁତ୍ୱପୂର୍ଣ୍ଣ ସଂଶୋଧନ:

ପୂର୍ବ ନିୟମ ଅନୁଯାୟୀ, ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଇପିଏଫ ଖାତାରେ କିଛି ସମୟ ପାଇଁ ଅବଦାନ ବନ୍ଦ ରହେ, ତେବେ ତାଙ୍କ ପରିବାରକୁ ଇଡିଏଲଆଇ ଲାଭରୁ ବଞ୍ଚିତ କରାଯାଉଥିଲା । ହେଲେ ବର୍ତ୍ତମାନର ନିୟମ ଅନୁସାରେ, ଯଦି କର୍ମଚାରୀଙ୍କ ମୃତ୍ୟୁର ଛଅ ମାସ ମଧ୍ୟରେ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ ଏବଂ ତାଙ୍କ ନାମ ନିଯୁକ୍ତିଦାତାଙ୍କ ରେକର୍ଡରେ ଥାଏ, ତେବେ ତାଙ୍କ ପରିବାର ଲାଭ ପାଇବାକୁ ଯୋଗ୍ୟ ହେବେ । ଏମିତି ନିଷ୍ପତ୍ତି ପରେ ପ୍ରତିବର୍ଷ ପ୍ରାୟ ୧୪,୦୦୦ ପରିବାରକୁ ଲାଭାନ୍ୱିତ କରିବ ବୋଲି ଆଶା କରାଯାଉଛି ।

ପୂର୍ବରୁ ଲଗାତାର ସପ୍ତାହେ ଛୁଟି କିମ୍ବା ଅଧିକ ଛୁଟି ନେଲେ କର୍ମଚାରୀମାନେ ଅନେକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ । ହେଲେ ଏବେ ସେହି ନିୟମରେ ପରିବର୍ତ୍ତନ କରାଯାଇଛି ।  ନୂଆ ନିୟମ ଅନୁସାରେ, ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ପର୍ଯ୍ୟନ୍ତ ବ୍ୟବଧାନକୁ ନିରନ୍ତର ସେବା ଭାବରେ ଗଣନା କରାଯିବ । ଏହା ଦ୍ୱାରା ଅଧିକ ପରିବାର ଉଚ୍ଚ ବୀମା ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । 

କଥାହେଲା, ଇପିଏଫ୍‌ରେ ଅନେକ କର୍ମଚାରୀ ଲାଭ ପାଉଥିଲେ । ହେଲେ ନିୟମ ପରିବର୍ତ୍ତନ ହୋଇଯିବା କାରଣରୁ ଅନେକ ଏଥିରୁ ବଞ୍ଚିତ ହେଉଥିଲେ । କିନ୍ତୁ ଏବେ ପୁଣି ଥରେ ନିୟମରେ ପରିବର୍ତ୍ତନ ହେଉଥିବା କାରଣରୁ କର୍ମଚାରୀମାନେ ବେଶ୍‌ ଖୁସି ଅଛନ୍ତି ।