କନକ ବ୍ୟୁରୋ : ଲେହ-ଲଦାଖରେ ନେପାଳ ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ହଜାର ସଂଖ୍ୟକ ପ୍ରଦର୍ଶକ । ପୁଲିସକୁ ଆକ୍ରମଣ କଲେ, ପଥର ମାଡ କଲେ । ବିଜେପି ଅଫିସ ସମ୍ମୁଖରେ ପୋଡ଼ାଜଳା କଲେ । ଏହି ଦୃଶ୍ୟକୁ ଦେଖିଲେ ନେପାଳ ବିକ୍ଷୋଭର କଥା ମନେ ପଡିଯାଉଛି । ସବୁଠୁ ବଡ଼ କଥା ହେଉଛି ପ୍ରଦର୍ଶନରେ ସାମିଲ ହୋଇଥିବା ୯୦% ହେଉଛନ୍ତି ଯୁବପିଢ଼ି । ଲେହ-ଲଦାଖକୁ ସ୍ବତନ୍ତ୍ର ରାଜ୍ୟମାନ୍ୟତା ଦେବାକୁ ଏହି ପ୍ରଦର୍ଶନ କରାଯାଇଛି ।
ବୁଧବାର ଦିନ ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହା ପ୍ରଥମ ଥର ପାଇଁ ଏପରି ସଂଘର୍ଷ ନୁହେଁ । କେନ୍ଦ୍ର ସରକାର ଲଦାଖର ଲୋକଙ୍କ ଦାବି ଉପରେ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଅକ୍ଟୋବର ୬ ତାରିଖରେ ଲଦାଖ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି । ସେପଟେ ୧୫ଦିନ ପରେ ଆମରଣ ଅନଶନରୁ ଓହରିଛନ୍ତି ଆଜି ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ।