କନକ ବ୍ୟୁରୋ: ଆଇପିଏଲର ଅନ୍ୟତମ ସଫଳ ଟିମ୍ ହେଉଛି କୋଲକାତା ନାଇଟ୍ ରାଇଡର୍ସ । ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପୁଣି ନିଜ ଟାଇଟେଲ ବଜାୟ ରଖିବାକୁ ପଡ଼ିଆକୁ ଓହ୍ଲାଇବ । ଶାହରୁଖ ଖାନଙ୍କ ଏହି ଟିମ୍ ଆଇପିଏଲର ପ୍ରାରମ୍ଭିକ ସିଜନଗୁଡ଼ିକରେ ବିଶେଷ କିଛି ସଫଳତା ହାସଲ କରିପାରିନଥିଲା । ଖାସ୍ କରି ୨୦୦୯ରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା କେକେଆର୍‌ । ଯେଉଁଥିପାଇଁ ଶାହରୁଖ ଏବଂ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ବଡ଼ ବିବାଦ ଦେଖିବାକୁ ମିଳିଥିଲା ।

Advertisment

୨୦୦୯ରେ କେକେଆରର ହେଡ୍ କୋଚ୍ ଥିଲେ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର୍ ଜନ୍ ବୁକାନନ୍ । ମ୍ୟାଚ ପରେ ମ୍ୟାଚରେ କ୍ୟାପ୍ଟେନ ଅଦଳ ବଦଳ ଥିଓରୀ ଲାଗୁ କରିବା ପାଇଁ ଜନ୍ ବୁକାନନ୍ ପଦକ୍ଷେପକୁ ସୁନୀଲ୍ ଗାଭାସ୍କର ତୀବ୍ର ସମାଲୋଚନା କରିଥିଲେ । ଏହାକୁ ନେଇ କେକେଆର୍‌ର ମାଲିକ ଶାହରୁଖ ଖାନ ଗାଭାସ୍କରଙ୍କୁ ପାଲଟା ଜବାବ ଦେଇ କହିଥିଲେ, ଆପଣ ମୋ ଟିମ୍ ବାବଦରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ, କେକେଆରଠୁ ଦୂରରେ ରୁହନ୍ତୁ । ଶାହରୁଖ ଏତିକି କହିବା ପରେ ଜାତୀୟ ଗଣମାଧ୍ୟମରେ ସତେ ଯେମିତି ଏନେଇ ଝଡ଼ ଉଠିଥିଲା ।

ସୁନୀଲ୍ ଗାଭାସ୍କର ଜନ୍ ବୁକାନନଙ୍କୁ ଏକ ଅସଫଳ ପୂର୍ବ କ୍ରିକେଟର୍ ବୋଲି ଟିପ୍ପଣୀ ଦେଇଥିଲେ । କହିଥିଲେ, କ୍ରିକେଟ ଖେଳାଳି ଯାହା କରିପାରିବେନି ତାହା କରିବାକୁ ବାଧ୍ୟ କରୁଥିଲେ ବୁକାନନ୍ । ଏନେଇ ଶାହରୁଖ୍ ଖାନ ଅତ୍ୟନ୍ତ ରାଗିଯାଇଥିଲେ ଆଉ କହିଥିଲେ, "ମୁଁ ସୁନୀଲ୍ ଗାଭାସ୍କରଙ୍କୁ ବହୁତ ସମ୍ମାନ କରେ ।  କ୍ରିକେଟ୍ ବିଷୟରେ ସେ ଆମଠାରୁ ବେଶୀ ଜ୍ଞାନୀ । କିନ୍ତୁ ଏବେର କ୍ରିକେଟ ଏକ ଭିନ୍ନ ଏବଂ ନୂତନ ଫର୍ମାଟରେ ଖେଳାଯାଉଛି । ଯଦି ସେ ଏତେ ଚିନ୍ତା କରୁଛନ୍ତି, ତେବେ ନିଜେ ଗୋଟେ ଦଳ କିଣି ଦିଅନ୍ତୁ । ଯାହା ତାଙ୍କର ଇଚ୍ଛା ଅନୁସାରେ ଚଳାଇପାରିବେ ।" ଶାହରୁଖଙ୍କ ଏଭଳି ବୟାନ ପରେ ବିବାଦ ବଢ଼ିଥିଲା । ଏପରିକି ପରେ ଭୁଲ ମଧ୍ୟ ମାଗିଥିଲେ କିଙ୍ଗ୍ ଖାନ୍ । ଆମେରିକାରେ ଗାଭାସ୍କର ଥିବା ବେଳେ ଶାହରୁଖ ଏକ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଥିଲେ ।