କନକ ବ୍ୟୁରୋ : କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଷ୍ଟାଟସ ରିପୋର୍ଟରେ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ଜେ.ବି.ପାର୍ଡିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲ ଶୁଣାଣି କରି କୋର୍ଟ ତଦନ୍ତକାରୀ ସଂସ୍ଥାକୁ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମାମଲା ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ ପଚାରିଛନ୍ତି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହିଁକି ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଗଲା? ମୃତ୍ୟୁ ପ୍ରମାଣପତ୍ର ହତ୍ୟାର ପର ଦିନ ୧ଟା ୪୭ ମିନିଟ୍ରେ ଦିଆଯାଇଥିବା ବେଳେ ଅପରାହ୍ନ ୨ଟା ୫୫ ମିନିଟରେ ପୁଲିସ ମାମଲା କାହିଁକି ରୁଜୁ କରିଥିଲା । ଏଫଆଇଆର ରୁଜୁ ପାଇଁ କାହିଁକି ୧୪ଘଂଟା ସମୟ ଲାଗିଲା ? କାହିଁକି ପୀଡିତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି ? ସୋସିଆଲ ମିଡିଆରୁ ତୁରନ୍ତ ହଟାଯାଉ । ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଏହାର ସମୀକ୍ଷା କରାଯିବ ।
ତେବେ ସିବିଆଇ ମାମଲା ହାତକୁ ନେଇଥିବାରୁ କୋର୍ଟ ଏବେ ହସ୍ତକ୍ଷେପ କରିବେ ନାହିଁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି, ଆମ ପାଖରେ ଫୋରେନସିକ୍ ପରୀକ୍ଷା ରିପୋର୍ଟ ଅଛି । ଅଗଷ୍ଟ ୯ ସକାଳ ୯.୩୦ ମିନିଟରେ ମୃତଦେହ ମିଳିଥିଲା । ଅର୍ଦ୍ଦନଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଡାକ୍ତରଙ୍କ ଶରୀରର ଅନେକ କ୍ଷତ ଚିହ୍ନ ଥିଲା । ରାଜ୍ୟ ସରକାରଙ୍କ ଜବାବ ଦାଖଲ କପି ଆମକୁ ମିଳିନି ।
ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଛି । ଡାକ୍ତରମାନେ ଧର୍ମଘଟ ଜାରି ରଖିଥିବାରୁ ୨୩ ରୋଗୀଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲାଣି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହା ପରେ କୋର୍ଟ ଡାକ୍ତରମାନଙ୍କୁ ଚେତାବନୀ ଦେବା ସହିତ କାମରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା କାମରେ ଯୋଗ ଦିଅନ୍ତୁ, ନଚେତ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଆଜିର ଶୁଣାଣୀ ସମୟରେ ଆଇନଜୀବୀ କୌସ୍ତବ ବାଗଚୀଙ୍କୁ ତାଗିଦ କରିଥିଲେ ସିଜେଆଇ । ବରିଷ୍ଠ ଆଇଜନଜୀବୀ କପିଲ ସିବଲଙ୍କ କଥାକୁ ଉଚ୍ଚସ୍ୱରରେ ବିରୋଧ କରିଥିଲେ । ଯାହାକୁ ନେଇ ରାଗିଥିଲେ ସିଜେଆଇ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ କହିଥିଲେ, ଆପଣ ପ୍ରଥମେ ନିଜର ସ୍ୱର କମ କରି କଥା ହୁଅନ୍ତୁ । କୋର୍ଟ ପରିସରରେ ସୀମିତ ଲୋକ ଅଛନ୍ତି ଓ ଉଚ୍ଚସ୍ତରରେ କଥା ହେବା କ’ଣ ଆବଶ୍ୟକ ? ତେବେ ସିଜେଆଇଙ୍କ ତାଗିଦ ପରେ କୋର୍ଟରେ କ୍ଷମା ମାଗିଛନ୍ତି ଆଇନଜୀବୀ କୌସ୍ତବ ବାଗଚୀ ।