କନକ ବ୍ୟୁରୋ : ମିଲାନରେ ଆୟୋଜିତ Prada Spring Summer 2025 ଶୋ’ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି କିନ୍ତୁ ଏଥର ଚର୍ଚ୍ଚାର କାରଣ ଡିଜାଇନ୍ ନୁହେଁ ବରଂ ଅନ୍ୟ କିଛି । ପ୍ରକୃତରେ Prada Brand ନିଜ କଲେକ୍ସନରେ କୋହ୍ଲାପୁରୀ ଚପଲ ଭଳି ଡିଜାଇନର ଚପଲ ଉପସ୍ଥାପନ କରିଛି । ଏହି ଚପଲ ଦେଖିବାକୁ ସମ୍ପୂର୍ଣ୍ଣ କୋହ୍ଲାପୁରୀ ଚପଲ ଭଳି କିନ୍ତୁ ଚର୍ଚ୍ଚାର ବିଷୟ ଏହି କି ଯେ ବ୍ରାଣ୍ଡ୍ ଏଥିପାଇଁ ଭାରତୀୟ କାରିଗରମାନଙ୍କୁ କୌଣସି ଶ୍ରେୟ ଦେଇନାହିଁ । ତେବେ କୋଲ୍ଲାପୁରୀ ଚପଲକୁ ପସନ୍ଦ କରୁଥିବା ଲୋକ ଏବଂ ପ୍ରାଡା ବ୍ରାଣ୍ଡର ଗ୍ରାହକ ମଧ୍ୟ ଏହି କଥାରେ ଆପତ୍ତି ଉଠାଇଛନ୍ତି ଯେ ପ୍ରାଡା ନିଜ କଲେକ୍ସନର ଶ୍ରେୟ ଭାରତକୁ କାହିଁକି ଦେଲା ନାହିଁ ? ବ୍ରାଣ୍ଡର ଚପଲ ସମ୍ପୂର୍ଣ୍ଣ ରୂପେ କୋହ୍ଲାପୁରୀ ଚପଲର ନକଲ । ଏହି କାରଣରୁ ସୋସିଆଲ ମିଡିଆରେ ବାଦବିବାଦ ଆରମ୍ଭ ହୋଇଯାଇଛି ଯେ ଅନ୍ତର୍ଜାତୀୟ ଫ୍ୟାଶନ୍ ବ୍ରାଣ୍ଡ୍ ଭାରତକୁ କେବେ କ୍ରେଡିଟ୍ ଦେବା ଆରମ୍ଭ କରିବେ ? ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିବା ସହ କୋହ୍ଲାପୁରୀ ଚପଲ ପାଇଁ ଭାରତୀୟଙ୍କ ପ୍ରେମ ବି ଦେଖିବାକୁ ମିଳିଲା । ଏମିତି କି ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ କୋହ୍ଲାପୁରୀ ଚପଲକୁ ନେଇ ମନ୍ତବ୍ୟ ଦେଲେ । ବଲିଉଡର ବେବୋ କୁହାଯାଉଥିବା ଅଭିନେତ୍ରୀ କରିନା କପୁର ଖାନ୍ ମଧ୍ୟ ଦେଶୀ ଚପଲ ପିନ୍ଧି ପ୍ରାଡାକୁ ଭଲ ଜବାବ ଦେଲେ । ତେବେ ପ୍ରକୃତ କୋହ୍ଲାପୁରୀ ଚପଲ କେମିତି ହୋଇଥାଏ ? ଏହା କେଉଁଠାରେ ତିଆରି ହୁଏ ଏବଂ ଏହାର ବିଶେଷତ୍ୱ କ'ଣ? ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/07/08/kolhapuri_chappal_debate-2025-07-08-14-35-03.jpg)
ଭାରତୀୟ ହସ୍ତଶିଳ୍ପର ପରିଚୟ- କୋହ୍ଲାପୁରୀ ଚପଲ :
କୋହ୍ଲାପୁରୀ ଚପଲ ମହାରାଷ୍ଟ୍ରର କୋହ୍ଲାପୁରର ପାରମ୍ପରିକ ହସ୍ତଶିଳ୍ପ କଳା, ଯାହାର ଇତିହାସ ୧୩ଶ ଶତାବ୍ଦୀ ସହିତ ଜଡ଼ିତ । ଏହା ଚମଡ଼ାରେ ତିଆରି ଏକ ଆରାମଦାୟକ ଚପଲ । ଯାହାର ବିଶେଷତ୍ୱ ହେଉଛି ଏହାର ହ୍ୟାଣ୍ଡୱୋଭନ ଡିଜାଇନ୍ ଏବଂ ପ୍ରାକୃତିକ ଟାନ୍ ରଙ୍ଗ । ଏହି ଚପଲକୁ ସମ୍ପୂର୍ଣ୍ଣ ଭାବେ ହାତରେ ତିଆରି କରାଯାଏ । ଯେଉଁଥିରେ କାରିଗରମାନେ ମାସ ମାସ ଧରି ପରିଶ୍ରମ କରନ୍ତି । ହସ୍ତକଳାର ଅନନ୍ୟ ପରିଚୟ ହୋଇଥିବାରୁ ଏହାକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି ।
/filters:format(webp)/kanak/media/media_files/2025/07/08/kolhapuri-2025-07-08-14-36-06.jpg)
ଏହି ଚପଲକୁ ତିଆରି କରିବାର ପ୍ରକ୍ରିୟା ହିଁ ଏହାକୁ ସ୍ୱତନ୍ତ୍ର କରିଥାଏ । ଚପଲକୁ ତିଆରି କରିବା ପାଇଁ କାରିଗରମାନେ ପ୍ରଥମେ ଉଚ୍ଚମାନର ଚମଡ଼ାକୁ ଆଗ ବାଛନ୍ତି । ଏହା ପରେ ଏହି ଚମଡ଼ାକୁ ନରମ କରାଯାଏ, ଆକୃତି ଦିଆଯାଏ ଏବଂ ଚପଲକୁ ଡିଜାଇନରେ କଟାଯାଏ । ଚପଲର ଡିଜାଇନ୍ ହିଁ ଏହାର ବିଶେଷତ୍ୱ ଏବଂ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଏସବୁ ପ୍ରକ୍ରିୟା କେବଳ ହାତରେ ହିଁ କରାଯାଏ ଏବଂ ଏଥିରେ କୌଣସି ମେସିନର ବ୍ୟବହାର କରାଯାଏ ନାହିଁ । ତେବେ ବଜାରରେ ବର୍ତ୍ତମାନ ମେସିନରେ ତିଆରି ହୋଇଥିବା କୋହ୍ଲାପୁରୀ ଚପଲ ମଧ୍ୟ ବିକ୍ରି ହେଉଛି କିନ୍ତୁ ତାହା ଅଧିକ ସମୟ ପର୍ଯ୍ୟନ୍ତ ଲାଷ୍ଟିଙ୍ଗ୍ କରେ ନାହିଁ । ଅସଲି କୋହ୍ଲାପୁରୀ ଚପଲ ହିଁ ଅଧିକ ବର୍ଷ ଧରି ବ୍ୟବହାର କରିବା ପାଇଁ ଉପଯୁକ୍ତ । ଏହି ଚପଲରେ ବୁଢ଼ା ଆଙ୍ଗୁଠି ପାଖରେ ଏକ ରିଙ୍ଗ ଥାଏ, ଯାହା ଚପଲର ଗ୍ରିପକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ପତଳା ଷ୍ଟ୍ରାପ୍ କୋହ୍ଲାପୁରୀ ଚପଲକୁ ଏକ ସ୍ୱତନ୍ତ୍ର ଡିଜାଇନ୍ ଦେଇଥାଏ । ଅସଲି କୋହ୍ଲାପୁରୀ ଚପଲ ବର୍ଷ ବର୍ଷ ଧରି ଚାଲେ ଏବଂ ବହୁତ ଆରାମଦାୟକ ହୋଇଥାଏ । ମହାରାଷ୍ଟ୍ରର ଆର୍ଦ୍ର ପରିବେଶରେ ମଧ୍ୟ ଏହାକୁ ପିନ୍ଧିଲେ ପାଦକୁ ଆରାମ ମିଳେ, ପାଦରେ ଝାଳ ହୁଏନାହିଁ ଏବଂ ଦୂର ବାଟ ପର୍ଯ୍ୟନ୍ତ ଆରାମରେ ଚାଲିବାର ସୁବିଧା ଯୋଗାଏ ଏହି ଚପଲ । ଚପଲ ତିଆରି କରିବା ପାଇଁ ଯେଉଁ ଚମଡା ବ୍ୟବହାର କରାଯାଏ ତାହା ସମୟ ସହିତ ପିନ୍ଧୁଥିବା ଲୋକର ପାଦ ସହିତ ଖାପ ଖୁଆଇଥାଏ ଯେଉଁ କାରଣରୁ କୋହ୍ଲାପୁରୀ ଚପଲ ପରି ଆରାମ ଆଉ କେଉଁ ଚପଲରେ ଦେଖିବାକୁ ମିଳେନାହିଁ ।