କନକ ବ୍ୟୁରୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ, ୟୁକ୍ରେନ ଯୁଦ୍ଧରେ ରୁଷିଆଠାରୁ ପଛରେ ଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନ ଆଗରେ ଚାଲୁଛି। ୟୁକ୍ରେନ ପ୍ରଥମେ ରୁଷିଆର ଜମି ଦଖଲ କରି ରୁଷିଆରେ ପ୍ରବେଶ କରିଥିଲା। ବର୍ତ୍ତମାନ ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କିଙ୍କ ୟୁକ୍ରେନ ସେନା ରାଷ୍ଟ୍ରପତି ବ୍ଲାଡିମିର ପୁଟିନଙ୍କୁ ଗଭୀର ଆଘାତ ଦେଇଛି। ୟୁକ୍ରେନ ରୁଷିଆରେ ଉପରେ ଏକ ବଡ଼ ଆକ୍ରମଣ କରିଛି। ୟୁକ୍ରେନ ସେନା ରୁଷିଆର ସାରାତୋଭ ସହରର ସବୁଠାରୁ ବଡ଼ କୋଠା ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ରୁଷିଆର ଏହି କୋଠା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ଋଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷ ଅତିକ୍ରମ କରିବା ପରେ ପୁଣି ଭୟଙ୍କର ରୂପ ଧାରଣ କରିଛି ଦୁଇ ଦେଶ ମଧ୍ୟରେ ଏହି ବିବାଦ। ପରଷ୍ପରକୁ ଜୋରଦାର ଆକ୍ରମଣ କରିଥିବା ବେଳେ ପଛରେ ପଡିଯାଇଛନ୍ତି ପୁଟିନ୍।  ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ଭଳି ଆଜି ୟୁକ୍ରେନ୍ ଋଷ ଉପରେ ଆକ୍ରମଣ କରିଛି। ଡ୍ରୋନ୍ ଜରିଆରେ ଋଷିଆର ସାରାତୋଭରେ ସବୁଠାରୁ ଉଚ୍ଚ  ୩୮ ମହଲା ଅଟ୍ଟାଳିକାକୁ ନଷ୍ଟ କରିଦେଇଛି। ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ୟୁକ୍ରେନର ଆକ୍ରମଣ ପରେ ପ୍ରତିଶୋଧରେ କିଭ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଛି ଋଷ।
ଅଗଷ୍ଟ ୨୩ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ମୋଦୀ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ପରେ ମୋଦୀ ଶାନ୍ତିର ବାର୍ତା ଦେଇଥିଲେ । ମୋଦୀ ୟୁକ୍ରେନ ଗସ୍ତ, ଋଷ-ୟୁକ୍ରେନ ଯୁଦ୍ଧରେ ଅଙ୍କୁଶ ଲଗାଇବ ବୋଲି କୁହାଯାଉଥିବା ବେଳେ ଯୁଦ୍ଧ ଆହୁରୀ ଭୟଙ୍କର ରୂପ ଧାରଣ କରିଛି। 

ରବିବାର ମଧ୍ୟରାତିରରୁ ରୁଷିଆ ପ୍ରଥମେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଆକ୍ରମଣ କରିଥିଲା। ଫଳରେ କୀଭ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। ଯାହାର ପ୍ରତିଶୋଧରେ ଋଷ ଉପରେ ବଡ଼ ଧରଣର ଆକ୍ରମଣ କରିଛି କୀଭ। ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରି ତା’ର ଗୋଟିଏ ସହରକୁ ଦଖଲ କରିଛି। ଋଷ ଅକ୍ତିଆର କରିଥିବା ୟୁକ୍ରେନର ପ୍ରାୟ ୧୦୦୦ ବର୍ଗ ମିଟର ଜମିକୁ ନିଜ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନ ସେନା। ଏହାରି ଭିତରେ ରୁଷିଆର ବିସ୍ଫୋରଣକାରୀ ଏଙ୍ଗେଲ୍ସ ଏୟାର ବେସକୁ ଟାର୍ଗେଟ କରିଛି ୟୁକ୍ରେନ ସେନା। ଫେବୃଆରୀ ୨୦୨୨ରେ ମସ୍କୋ ପକ୍ଷରୁ ପ୍ରଥମେ ଏଠାରୁ ଆକ୍ରମଣ କରାଯାଇଥିଲା। ତେଣୁ ଏହାକୁ ନଷ୍ଟ କରିଦେବାକୁ ଯୋଜନା କରିଛି ୟୁକ୍ରେନ।

ଯୁଦ୍ଧି ଯେତିକି ଲମ୍ବି ଲମ୍ବି ଯାଉଛି ୟୁକ୍ରେନ ତୁଳନାରେ ଋଷ ସେତିତି ପଛରେ ପଡିଯାଉଥିବା ଦେଖିବାକୁ ମିଳିଛି। ଯଦିଓ ଋଷ ପାଖରେ ପରମାଣୁ ଆକ୍ରମଣର ବିକଳ୍ପ ରହିଛି, କିନ୍ତୁ ଏହା କେବଳ ୟୁକ୍ରେନ ନୁହେଁ ଋଷ ସମେତ ଆଖପାଖ ଦେଶ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଏଭଳି ଯୁଦ୍ଧ ଲାଗିରହିଲେ ପରିସ୍ଥିତି ଆଗକୁ ଭୟଙ୍କର ହେବ କୁହାଯାଉଛି।