କନକ ବ୍ୟୁରୋ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଖୁବ୍ଶୀଘ୍ର ତାଙ୍କ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଆଶଙ୍କା କରିଛି । ଏହା ସହିତ, ତାଙ୍କ ଝିଅ କିମ୍ ଜୁ ଏ’ଙ୍କୁ ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ଘୋଷଣା କରାଯିବ ବୋଲି ଦମ୍ଭୋକ୍ତି ବାଢ଼ିଛି ଗୁଇନ୍ଦା ସଂସ୍ଥା । ଜୁ-ଏ ନିକଟରେ କିମ୍ଙ୍କ ସହ ବେଜିଂ ଗସ୍ତ କରିଥିଲେ, ଯାହା ତାଙ୍କ ପାଇଁ ପ୍ରଥମ ସରକାରୀ ବିଦେଶ ଗସ୍ତ ଥିଲା ।
ଦକ୍ଷିଣ କୋରିଆ ଗୁଇନ୍ଦା କମିଟି ସଦସ୍ୟ ଲି ସେଓଙ୍ଗ କ୍ଵିଅନ୍ କହିଛନ୍ତି ଯେ ଜୁ ଏ’ଙ୍କୁ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରାଯାଉଛି । ଯେଉଁଥି ପାଇଁ ସେ ତାଙ୍କ ବାପାଙ୍କ ସହ ଚୀନ୍ ଗସ୍ତରେ ସାମିଲ ହୋଇଥିଲେ । ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥ ମୁତାବକ, ୨୦୨୨ ମସିହାରେ ଜୁ ଏ’ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲେ । ସେତେବେଳେ ଏକ ବାଲିଷ୍ଟିକ୍ ମିସାଇଲ ପରୀକ୍ଷା ସମୟରେ ବାପାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଘଟଣା ସହିତ ତାଙ୍କ ରାଜନୈତିକ ଭୂମିକାକୁ ନେଇ ଗୁରୁତ୍ୱ ବହନ କରିଥିବା ବି ଚର୍ଚ୍ଚା ହୁଏ ।
ଏପଟେ ଜୁ ଏ’ ଉତ୍ତରକୋରିଆର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ଭାବେ ସ୍ପଷ୍ଟ ସଂକେତ ମିଳୁଥିଲେ ବି କେତେକ ବିଶେଷଜ୍ଞଙ୍କ ମତାନୁସାରେ କିମ୍ଙ୍କର ଜଣେ ବଡ଼ ପୁଅ ବି ଅଛନ୍ତି । ଯେଉଁଠାରେ ତାଙ୍କୁ ଗୁପ୍ତ ଭାବରେ ଶାସନ ଦାୟିତ୍ୱ ପାଇଁ ପ୍ରସ୍ତୁତ କରାଯାଉଛି । ଏଥିରୁ ଜଣାଯାଉଛି ଯେ ଉତ୍ତର କୋରିଆ ଶାସନକୁ କିଏ ସମ୍ଭାଳିବ ସେନେଇ ଏବେ ବି ଛକାପଞ୍ଝା ଲାଗି ରହିଛି ।