କନକ ବ୍ୟୁରୋ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଚୟନରେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ମହାୟୁତି ମଧ୍ୟରେ ମତଭେଦ ଥିବା ପ୍ରସଙ୍ଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

Advertisment

ସିନ୍ଦେ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ନିଷ୍ପତ୍ତି ନେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏନ୍‌ଡିଏ ପରିବାର ମୁଖ୍ୟ, ତାଙ୍କ ନିଷ୍ପତ୍ତି ହିଁ ମେଣ୍ଟ ପାଇଁ ଚୂଡାନ୍ତ ବୋଲି କହିଛନ୍ତି ଏକନାଥ ସିନ୍ଦେ । ସେପଟେ ଦିଲ୍ଲୀରେ ଆଜି ବସିଛି ମହାୟୁତି ନେତାଙ୍କ ବୈଠକ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏହି ବୈଠକ ବସିଛି । ଏଥିରେ ତିନି ମହାୟୁତି ନେତା ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଓ ଅଜିତ ପାୱାର ବୈଠକରେ ସାମିଲ ହେବା ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ବିଜେପି ବିଧାୟକ ଦଳ ବୈଠକରେ ନେତା ଚୟନ କରାଯିବ । ଏହା ପରେ ସେହି ନେତାଙ୍କୁ ମହାୟୁତି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ ।

ତେବେ ମହାହୁତି ବୈଠକରେ ଜଣଙ୍କ ନାଁରେ ମୋହର ବାଜିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତାକାଲି ନାମ ଘୋଷଣା କରାଯାଇପାରେ । ପରେ ମେଣ୍ଟ ବିଧାୟକ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଚଳିତ ବିଧାନସଭା ନିର୍ବାଚନରେ ମହାୟୁତି ଚମତ୍କାର ପ୍ରଦର୍ଶନ କରିଛି । ୨୮୮ରୁ ୨୩୫ଟି ଆସନରେ ବିଜୟୀ ହୋଇ ରେକର୍ଡ କରିଛି ମହାୟୁତି ।

ଯଦି ଆଜି ବିଜେପି ହାଇକମାଣ୍ଡରଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜେ ତେବେ ଡିସେମ୍ବର ୨ରେ ଶପଥ ଗ୍ରହଣ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ବୋଲି କୁହାଯାଉଛି ।