କନକ ବ୍ୟୁରୋ : ଝିଅକୁ ହଷ୍ଟେଲରୁ ଘରକୁ ଆଣିବାର ଖୁସିରେ ଘରୁ ବାହାରି ପଡ଼ିଥିଲେ ବାପା । ହେଲେ କିଏ ଜାଣିଥିଲା ଗୋଟିଏ ସୂତା ସଂସାରର ସବୁ ଖୁସି ଛଡ଼ାଇନେବ, କିଏ ଜାଣିଥିଲା ହଷ୍ଟେଲରେ ବ୍ୟାଗ୍ ଧରି ବାପାଙ୍କୁ ଅପେକ୍ଷା କରିଥିବା ଝିଅର ସ୍ୱପ୍ନ ଅଧୁରା ରହିଯିବ । ଏମିତି ଏକ କାହାଣୀ କର୍ଣ୍ଣାଟକରୁ ଆସିଛି ଯାହା ଆପଣଙ୍କୁ କନ୍ଦାଇଦେବ ।

Advertisment

୪୮ ବର୍ଷୀୟ ସଞ୍ଜୀବ କୁମାର ଜଣେ ସାଧାରଣ ଶ୍ରମିକ ଥିଲେ, କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ତାଙ୍କ ପିଲାମାନଙ୍କର ଖୁସି । ହଷ୍ଟେଲରେ ପଢ଼ୁଥିବା ଝିଅକୁ ଆଣିବା ପାଇଁ ସଞ୍ଜୀବ ବହୁତ ଉତ୍ସାହର ସହ ବାଇକ୍ ଧରି ବାହାରିଥିଲେ । ବାଟରେ ସେ ଭାବୁଥିବେ ଝିଅ ସହ କେତେ ଗପିବେ, ତା’ ପାଇଁ କ’ଣ ନେବେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ରାସ୍ତାରେ ଉଡ଼ୁଥିବା ଏକ ଅଦୃଶ୍ୟ ମାରାତ୍ମକ 'ଚାଇନା ମାଞ୍ଜା' ତାଙ୍କ ବେକରେ ଗୁଡ଼େଇ ହୋଇଗଲା । କିଛି ବୁଝିବା ଆଗରୁ ସେହି ଧାରୁଆ ସୂତା ତାଙ୍କ ବେକକୁ କାଟିଦେଇଗଲା, ସବୁ ସ୍ୱପ୍ନ ଶ୍ୱାସରୁଦ୍ଧ ହୋଇଗଲା ।

ଅଧିକ ପଢ଼ନ୍ତୁ : ଟୁଇନ୍‌ ସିଟି ଆକାଶରେ ମାଞ୍ଜା ସୂତା ଆତଙ୍କ, ନିଷିଦ୍ଧ ସତ୍ତ୍ୱେ ଖୋଲାଖୋଲି ହେଉଛି ବିକ୍ରି

ସଞ୍ଜୀବ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ବି ନିଜ ଝିଅ କଥା ଭାବୁଥିଲେ । ସେହି ଅସହ୍ୟ ଯନ୍ତ୍ରଣା ଭିତରେ, ରକ୍ତ ଜୁଡ଼ୁବୁଡ଼ୁ ହାତରେ ସେ ତାଙ୍କ ଝିଅକୁ ଫୋନ୍ କରିଥିଲେ । ଝିଅକୁ ଖାଲି ଏତିକି କହିପାରିଥିଲେ, "ମାଆରେ ମୋର ଆକ୍ସିଡେଣ୍ଟ୍ ହୋଇଛି, ପହଞ୍ଚିବାକୁ ଡେରି ହୋଇପାରେ । ସେ ଜାଣି ନଥିଲେ ଯେ ତାଙ୍କ ଝିଅକୁ ଶେଷ ଥର ପାଇଁ କହୁଛନ୍ତି । ସେପଟେ ଝିଅଟି ନିଜ ବ୍ୟାଗ୍ ଧରି ବାପା ଆସିବେ ବୋଲି ଅପେକ୍ଷା କରିଥିଲା, କିନ୍ତୁ ବାପା ଆସିଲେନି । ଆସିଲା ତାଙ୍କ ମୃତ୍ୟୁର ଖବର ।

ସବୁଠାରୁ ଲଜ୍ଜିତ କଲାଭଳି କଥା ଯେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପରିବର୍ତ୍ତେ ଭିଡିଓ କରିବାରେ ବ୍ୟସ୍ତ ଥିଲେ । ସେହି ସମୟ ଟିକକ ମଧ୍ୟରେ ଯଦି କେହି ତାଙ୍କୁ ସାହାଯ୍ୟ କରିଥାନ୍ତା, ହୁଏତ ସେହି ଝିଅଟି ଆଜି ଅନାଥ ହୋଇନଥାନ୍ତା । ସତରେ ଗୁଡ଼ି ଉଡ଼ାଇବା ଯଦି ପରମ୍ପରା ରୂପ ନେଇ ପ୍ରାଣ ନିଏ ତେବେ ଏ ପରମ୍ପରା କାହିଁକି ? ଆମର ଟିକିଏ ମନୋରଞ୍ଜନ ପାଇଁ କାହାର ସିନ୍ଦୂର ମୁଛି ହୋଇଯାଉଛି ତ କାହା ମୁଣ୍ଡରୁ ବାପାର ହାତ ଉଠିଯାଉଛି । ଦୟାକରି ମାରାତ୍ମକ ମାଞ୍ଜା ସୂତା ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କର ଗୋଟିଏ ଭୁଲ୍ କାହାର ଜୀବନ ନେଇପାରେ ।