କନକ ବ୍ୟୁରୋ : ଜମ୍ମୁରେ ଦଳ ଛାଡ଼ୁଛନ୍ତି ବିଜେପି ନେତା। ପାଖେଇ ଆସୁଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ସାମ୍ବା ଜିଲ୍ଲାର ଜିଲ୍ଲା ସଭାପତି କଶ୍ମୀରା ସିଂହ ଟିକେଟ ନ ମିଳିବାରୁ ଅସନ୍ତୋଷ ଜାହିର କରି ଦଳ ଛାଡିଛନ୍ତି। ସାମ୍ବା ବିଧାନସଭା ଆସନରୁ ବିଜେପି ସୁରଜିତ ସିଂହ ସାଲାଥିଆଙ୍କୁ ଟିକେଟ୍‌ ଦେଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଶ୍ମୀରା ସିଂହ।

ଟିକେଟ୍ ନ ପାଇବା ପରେ ବିଜେପିର ସାମ୍ବା ଜିଲ୍ଲା ସଭାପତି ପଦ ସହ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିସହ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ଚନ୍ଦ୍ର ମୋହନ ଶର୍ମା ମଧ୍ୟ ଟିକେଟ ନ ପାଇବା ପରେ ଦଳ ଛାଡିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ ତିନୋଟି ପର୍ୟ୍ୟାୟରେ ମତଦାନ ହେବ।

କେନ୍ଦ୍ରଶାସିତ ଅଞ୍ଚଳରେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ୟ୍ୟାୟ ଭୋଟିଂ ଥିବା ବେଳେ ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ୟ୍ୟାୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ୟ୍ୟାୟ ମତଦାନ ହେବ। ଅକ୍ଟୋବର ୪ରେ ଭୋଟ୍‌ ଗଣତି ହେବ।