କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍ ଆସୁଛି । ଖାସ୍ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି । ହେଲେ କେଉଁ ଆସନରୁ ସେ ନିର୍ବାଚନ ଲଢିବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବୋଲି ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି ।
ବିହାରର ରାଜନୈତିକ ମାହୋଲ୍ରେ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ସକ୍ରିୟ ରାଜନୀତିରେ ସାମିଲ କରିବା ପାଇଁ ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁର କର୍ମୀମାନେ ଦାବି ଉଠାଇଛନ୍ତି । ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ନିଶାନ୍ତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ କର୍ମୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଖାଲି ଦାବି କରିଛନ୍ତି ତାହା ନୁହେଁ ବରଂ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଏନେଇ ପୋଷ୍ଟର ବି ଲଗାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଅଧିକ ଆରମ୍ଭ ହୋଇଯାଇଛି ।
ଜେଡିୟୁ କର୍ମୀମାନଙ୍କ ଦ୍ୱାରା ଲଗାଯାଇଥିବା ପୋଷ୍ଟରଗୁଡ଼ିକରେ ନିଶାନ୍ତ କୁମାରଙ୍କ ଫଟୋ ସହିତ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଆହ୍ୱାନ ଦିଆଯାଇଛି । ସୁଶୀଲ କୁମାର, ଅଭୟ ପଟେଲ, ବରୁଣ କୁମାର ଏବଂ ଚନ୍ଦନ ପଟେଲଙ୍କ ଭଳି କିଛି ସ୍ଥାନୀୟ ଜେଡିୟୁ କର୍ମୀ ଏହି ପୋଷ୍ଟର ଲଗାଇଥିବା ଜଣାପଡ଼ିଛି । ସମସ୍ତେ ଦାବି କରିଛନ୍ତି କି, ବର୍ତ୍ତମାନ ସମୟରେ ଦଳକୁ ନିଶାନ୍ତ ଆସିଲେ ବହୁତ ବଢିଆ ହେବ ।
ସେପଟେ କିନ୍ତୁ ଏପର୍ଯ୍ୟନ୍ତ ନିଜକୁ ସକ୍ରିୟ ରାଜନୀତିରୁ ଦୂରେଇ ରଖିଥିବା ନିଶାନ୍ତ କୁମାର ଏବେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖାଯାଉଛି । ତେଣୁ ଖୁବ୍ଶୀଘ୍ର ବିଧିବଦ୍ଧ ଭାବରେ ରାଜନୀତିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ, ନିଶାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଆଗ୍ରହୀ ଅଛନ୍ତି ଏବଂ ଏନେଇ ଏକ ଉପଯୁକ୍ତ ସମୟର ଅପେକ୍ଷା କରିଛନ୍ତି । ରାଜନୀତିରେ ସାମିଲ ହେବା ପରେ ନାଳନ୍ଦା ଜିଲ୍ଲାର ହାରନୌତ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି ।
ତେବେ ଜେଡିୟୁର ମୁଖପାତ୍ର ଅରବିନ୍ଦ କୁମାର କହିଛନ୍ତି, "କର୍ମୀମାନେ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶ ପାଇଁ ପୋଷ୍ଟର ଲଗାଉଛନ୍ତି । ସେ ନିର୍ବାଚନ ଲଢ଼ିବେ କି ନାହିଁ, ତାହା ନୀତୀଶ କୁମାର ଏବଂ ନିଶାନ୍ତ ନିଜେ ନିଷ୍ପତ୍ତି ନେବେ । ଚର୍ଚ୍ଚା ଭିତରେ ବିଭିନ୍ନ ରାଜନୈତିକ ଦଳରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂ କହିଛନ୍ତି, ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିପାରିବେ ଏବଂ ଜେଡିୟୁ କର୍ମୀଙ୍କ ଏହି ଦାବି ସ୍ୱାଗତଯୋଗ୍ୟ । ସେହିପରି ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, "ଜେଡିୟୁ ଚାହୁଛି ନିଶାନ୍ତ ରାଜନୀତିକୁ ଆସନ୍ତୁ । ଏପରିକି ତେଜସ୍ୱୀ ଯାଦବ ମଧ୍ୟ ପୂର୍ବରୁ ଏହାକୁ ସ୍ୱାଗତ କରିଛନ୍ତି ।
କଥାହେଲା, ବଂଶବାଦ ରାଜନୀତିର ଜଣେ ଦୃଢ ସମାଲୋଚକ ଭାବେ ଜଣାଶୁଣା ନୀତୀଶ କୁମାରଙ୍କ ପାଇଁ ଏହି ପରିସ୍ଥିତି ଏକ ଭିନ୍ନ ବାର୍ତ୍ତା ଦେଉଛି । ଯଦି ତାଙ୍କ ପୁଅ ରାଜନୀତିରେ ଯୋଗ ଦେବେ ତେବେ ବିରୋଧୀ କଣ କହିବେ ତାହାକୁ ନେଇ ନୀତିଶ ଚିନ୍ତାରେ ଥିବା ଅନେକ କହୁଛନ୍ତି । ଅବଶ୍ୟ ଏନେଇ ନୀତିଶ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି ଯାହା କେବଳ ଚର୍ଚ୍ଚା ହେଉଛି ।