କନକ ବ୍ୟୁରୋ : ହରିୟାଣା ଓ ଜାମ୍ମୁ-କାଶ୍ମୀରରେ କିଏ ଗଢିବ ସରକାର । ହରିୟାଣାରେ ନିର୍ବାଚନ ସରିବା ପରେ ଆସିଛି ଏକଜିଟ୍ ପୋଲ । ହରିୟାଣାରେ  କଂଗ୍ରେସ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ୍ ପୋଲ ପୁର୍ବାନୁମାନ କରିଥିବାବେଳେ ଜାମ୍ମୁ-କାଶ୍ମୀରରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଂଟ-ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ପୂର୍ବାନୁମାନ କରିଛନ୍ତି ।

Advertisment

୫ଟି ସଂସ୍ଥାର ଏକ୍‌ଜିଟ ପୋଲ୍ ଆକଳନ ଅନୁଯାୟୀ ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ୫୫ଟି ଆସନରେ ବିଜୟୀ ହେବ । ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ ପରେ ୯୦ଟି ଆସନ ଥିବା ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନ୍‌ସି ମେଣ୍ଟ ୪୩ଟି ଆସନରେ ବିଜୟୀ ହେବା ସମ୍ଭାବନା ରହିଛି । ସଂଖ୍ୟାଗରିଷ୍ଠତା ଠାରୁ ୩ଟି ଆସନ କମ୍ ପାଇ ଏହି ମେଣ୍ଟ ସବା ଆଗରେ ରହିବ ବୋଲି ଅନୁମାନ କରାଯାଇଛି ।

୨୦୨୪ ଲୋକସଭା ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ମଧ୍ୟ ବାଜି ମାରିବ ବୋଲି ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ(ଏନ୍‌ସି) ସହ ମେଣ୍ଟ କରି ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ପାଇଁ ସେଠାରେ ମଧ୍ୟ ଭଲ ଖବର ରହିଛି । ରାଜ୍ୟରେ ଝୁଲା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଏକ୍‌ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଥିଲେ ମଧ୍ୟ ସରକାର ଗଠନ ପାଇଁ କଂଗ୍ରେସ ମେଣ୍ଟ ସୁବିଧାଜନକ ସ୍ଥିତିରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ପଡ଼ୋଶୀ ଦିଲ୍ଲୀ ଓ ପଞ୍ଜାବରେ ସରକାର ରହିଥିବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ନିର୍ବାଚନୀ ସଫଳତା ପାଇବ ନାହିଁ ଏବଂ ଦଳ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇନପାରେ ବୋଲି ଏକ୍‌ଜିଟ୍ ପୋଲ ପରିଣାମରୁ ଜଣାପଡ଼ିଛି ।

ଆସନ୍ତା ଅକ୍ଟୋବର ୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ହେଲେ ଏହା ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭାକୁ ମିଳିଛି ୫ ବିଧାୟକ । ଉପ ରାଜ୍ୟପାଳ ନିଜ ଆଡ଼କୁ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭା ପାଇଁ ସଦସ୍ୟ ମନୋନୀତ କରାଯାଇଥିବାରୁ ଏହାକୁ କଂଗ୍ରେସ ଜୋରଦାର ବିରୋଧ କରିଛି ।

ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ରବୀନ୍ଦ୍ର ଶର୍ମା କହିଛନ୍ତି, “ଆମେ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତି ହୋଇଥିବା ୫ ବିଧାୟକଙ୍କୁ ବିରୋଧ କରୁଛୁ । ସରକାର ଗଠନ ପୂର୍ବରୁ ସଦସ୍ୟଙ୍କୁ ମନୋନୀତ କରିବା ଠିକ ନୁହେଁ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ । ଲୋକଙ୍କ ଜନାଦେଶ ବିରୋଧୀ। ସମ୍ବିଧାନର ମୂଳ ଭାବନାକୁ ଏହା ଆଘାତ ପହଞ୍ଚାଇଛି । ନୂଆ ସରକାର ଗଠନ ହେବା ପରେ ମନୋନୀତି ସଦସ୍ୟଙ୍କୁ ବିଧାନସଭାକୁ ପଠାଯାଏ । କିନ୍ତୁ ଏହାପୂର୍ବରୁ ଏଦିଗରେ ପଦକ୍ଷେପ ନେବା ଜନାଦେଶ ସହ ଧୋକା ସହ ସମାନ ହେବ ବୋଲି କଂଗ୍ରେସ କହିଛି । ହେଲେ କଂଗ୍ରେସର କହିବା ଯେ ନୂଆ ସରକାର ଗଠନ ହେବା ପରେ ମନ୍ତ୍ରୀ ପରିଷଦର ପରାମର୍ଶକ୍ରମେ ଉପ ରାଜ୍ୟପାଳ ସଦସ୍ୟ ଚୟନ କରିପାରିବେ। ହେଲେ ଉପ ରାଜ୍ୟପାଳ ଆଗୁଆ ୫ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ।