କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଏନେଇ ଜମ୍ମୁ ଓ କାଶ୍ମୀରରେ ଆଜି ନିର୍ବାଚନ ପ୍ରଚାର କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବାନିହାଲରୁ ନିର୍ବାଚନ ଲଢୁଥିବା ପୂର୍ବତନ ଜମ୍ମୁ ଓ କାଶ୍ମୀର କଂଗ୍ରେସ ମୁଖ୍ୟ ବିକାର ରସୋଲ ୱାନିଙ୍କ ଲାଗି ପ୍ରଚାର କରିବେ ରାହୁଲ। ରାମବନ ଜିଲ୍ଲାର ଗୁଲରେ ସେ ୱାନିଙ୍କ ସପକ୍ଷରେ ପ୍ରଚାର କରିବେ ।

ସେହିପରି ଅନନ୍ତନାଗ ଜିଲ୍ଲାର ଦୋରୁରେ ଆୟୋଜିତ ସାଧାରଣ ସଭାରେ ରାହୁଲ ଉଦବୋଧନ ଦେବା ସହ ପୂର୍ବତନ ମନ୍ତ୍ରୀ ଗୁଲାମ ଅହମ୍ମଦ ମୀରଙ୍କ ଲାଗି ପ୍ରଚାର କରିବେ । ବିଧିବଦ୍ଧ ଭାବେ ଜମ୍ମୁ ଓ କାଶ୍ମୀରରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ । ତେବେ ୯୦ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ଭୋଟ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ରେ ତିନି ପର୍ଯ୍ୟାୟରେ ହେବ । ନିର୍ବାଚନରେ କଂଗ୍ରେସର ତାରକା ପ୍ରଚାରକ ହେବେ ରାହୁଲ ଗାନ୍ଧୀ ।

ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ପ୍ରଚାର କରିବେ । ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ଜମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବ ।