କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ବଡ଼ ଖୁଲାସା । ସୁରକ୍ଷାରେ ତ୍ରୁଟି କାରଣରୁ ପହଲଗାମ୍ ଆତଙ୍କୀ ଆକ୍ରମଣ ହୋଇଛି ବୋଲି ସ୍ବୀକାର କରିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସିହ୍ନା କହିଛନ୍ତି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଡ଼ୋଶୀ ପାକିସ୍ତାନର ପ୍ରାୟୋଜିତ ପ୍ଲାନ୍ ଥିଲା । ଦେଶରେ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାକୁ ଚାଲ୍ ଚଳାଇଥିଲା ଶତ୍ରୁ ଦେଶ । ସୁରକ୍ଷାରେ ଢିଲା ଯୋଗୁଁ ଏଭଳି ଆକ୍ରମଣ ହୋଇଥିଲା ଏବଂ ସେନେଇ ମୁଁ ଭୁଲ୍ ମାନୁଛି ।
ପହଲଗାମରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିରୀହ ଲୋକଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା ମୁଁ ସେଥିପାଇଁ ନିଜକୁ ଦୋଷୀ ବୋଲି ଭାବୁଛି । ଯଦି ସୁରକ୍ଷାରେ ତ୍ରୁଟି ହୋଇନଥାନ୍ତା ତା’ହେଲେ ସେମାନଙ୍କ ସଂସାର ଉଜୁଡ଼ିନଥାନ୍ତା । ପହଲଗାମର ଖୋଲା ପଡ଼ିଆରେ ପୂର୍ବରୁ କେବେ ଆତଙ୍କୀ ହମଲା ହୋଇନଥିଲା ଏବଂ ସେଠାରେ ସୁରକ୍ଷାବାହିନୀକୁ ନିୟୋଜିତ କରିବା ପାଇଁ କୌଣସି ସୁବିଧା ନାହିଁ ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦେବାରେ ଆମେ ବିଫଳ ହୋଇଥିଲୁ ।
ସିହ୍ନା ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଚାହୁନାହିଁ ଯେ ଜମ୍ମୁ-କାଶ୍ମୀରରେ ଶାନ୍ତି ବଜାୟ ରହୁ । ଗତ ୫ ବର୍ଷରେ ଜମ୍ମୁ-କାଶ୍ମୀର ଅର୍ଥନୀତିର ଆକାର ଦ୍ବିଗୁଣା ବୃଦ୍ଧି ପାଇଥିବାରୁ ସହିପାରୁନି ପଡ଼ୋଶୀ ପାକିସ୍ତାନ । ଆଉ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ କାଶ୍ମୀର ଅର୍ଥନୀତି ଉପରେ ଆଘାତ କରିବାକୁ ଯୋଜନା କରିଚାଲିଛି ପାକ୍ । ହେଲେ ଭାରତ ‘ଅପରେସନ୍ ସିନ୍ଦୂର’ ଜରିଆରେ ଏହାର କଡ଼ା ଜବାବ ଦେଇଛି ।
ଅପରେସନ୍ ସିନ୍ଦୂର ପାକିସ୍ତାନ ପାଇଁ ଏବେ ଲକ୍ଷ୍ମଣରେଖା କହିଲେ କିଛି ଭୁଲ୍ ହେବନି । ଶତ୍ରୁ ଦେଶର ଆତଙ୍କୀ ଚାଲକୁ ପଣ୍ଡ କରିବା ପାଇଁ ଏବେ ଭାରତ ପୂରା ପ୍ରସ୍ତୁତ ହୋଇ ରହୁଛି । ଆମ ସେନା ଯେଉଁଭଳି ଭାବେ ପାକ୍ ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲେ ସେବେଠାରୁ ଆମ ସାମରିକ ଶକ୍ତିକୁ ଦେଖିସାରିଛି ସାରା ବିଶ୍ବ । ଏବେ ଆମ ଗୁଇନ୍ଦା ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ପାକିସ୍ତାନର ପ୍ରତିଟି ରଣନୀତି ଉପରେ ନଜର ରଖିଛି ବୋଲି କହିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ।