କନକ ବ୍ୟୁରୋ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତି ପରିଚାଳନାକୁ କଟାକ୍ଷ ଢଙ୍ଗରେ ସମାଲୋଚନା କରି ଅଭୂତପୂର୍ବ ବୋଲି ବର୍ଣ୍ଣନା କରି କହିଛନ୍ତି, ଏଭଳି ବୈଦେଶିକ ନୀତି ପରିଚାଳନା କରିଥିବା ରାଷ୍ଟ୍ରପତି ଆମେରିକାରେ କେବେ ବି ନ ଥିଲେ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ଟ୍ରମ୍ପଙ୍କ ଏଭଳି ବ୍ୟବହାର କେବଳ ଭାରତ ପାଇଁ ସୀମିତ ନୁହେଁ । ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶ୍ବ ସହ ମୁକାବିଲା କରିବାର ଶୈଳୀ, ଏପରିକି ନିଜ ଦେଶ ସହ ମୁକାବିଲା କରିବାର ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ ।

Advertisment

ଟ୍ରମ୍ପଙ୍କ ବାରମ୍ବାର ଦାବି ସତ୍ତ୍ବେ ମେ ମାସରେ ୪ ଦିନ ଧରି ଚାଲିଥିବା ଭାରତ-ପାକିସ୍ତାନ ବିବାଦର ଅନ୍ତ ଘଟାଇବାରେ ଆମେରିକାର କୌଣସି ମଧ୍ୟସ୍ଥତା ନାହିଁ ବୋଲି ଜୟଶଙ୍କର ଦୋହରାଇଛନ୍ତି । ସେ କହିଛନ୍ତି, ୧୯୭୦ ମସିହାରୁ ଭାରତ-ପାକ୍ ସଂଘର୍ଷ ପ୍ରସଙ୍ଗରେ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ଦେଶରେ ଏକ ଜାତୀୟ ସହମତି ରହିଛି ଯେ ଆମେ ପାକିସ୍ତାନ ସହ ସମ୍ପର୍କରେ ମଧ୍ୟସ୍ଥତାକୁ ଗ୍ରହଣ କରୁନାହୁଁ । ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ କୌଣସି ବାଣିଜ୍ୟ ଆଲୋଚନାରେ ଘରୋଇ କୃଷକଙ୍କ ସ୍ବାର୍ଥ ସର୍ବୋଚ୍ଚ ରହିଥାଏ । ଯେତେବେଳେ ବାଣିଜ୍ୟ, କୃଷକଙ୍କ ସ୍ଵାର୍ଥ କଥା ଆସେ, ଯେତେବେଳେ ଆମର ରଣନୈତିକ ସ୍ଵାଧୀନତା କଥା ଆସେ, ଯେତେବେଳେ ମଧ୍ୟସ୍ଥତାକୁ ବିରୋଧ କରିବା କଥା ଆସେ, ସେତେବେଳେ ଏହି ସରକାର ବହୁତ ସ୍ପଷ୍ଟ ।

ଜୟଶଙ୍କର କହିଛନ୍ତି, ଯଦି ଆପଣଙ୍କର ଭାରତରୁ କୌଣସି ସାମଗ୍ରୀ କିଣିବାରେ ଅସୁବିଧା ହେଉଛି, ତେବେ ଏହାକୁ କିଣନ୍ତୁ ନାହିଁ । ଏହାକୁ କିଣିବାକୁ କେହି ଆପଣଙ୍କୁ ବାଧ୍ୟ କରନ୍ତି ନାହିଁ । ଯଦିଓ ଆମେରିକୀୟ ପ୍ରତିନିଧି ଦଳ ଅଗଷ୍ଟ ମାସରେ ଭାରତ ଗସ୍ତ ବାତିଲ କରିଛନ୍ତି, ତଥାପି ଜୟଶଙ୍କର କହିଛନ୍ତି ଯେ, ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ ବାଣିଜ୍ୟ ଆଲୋଚନା ଜାରି ରହିଛି । ତେବେ ବାଣିଜ୍ୟ ବୁଝାମଣା ବେଳେ କୃଷକ ଓ କ୍ଷୁଦ୍ର ଉତ୍ପାଦକଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ଆମେ ବଦ୍ଧପରିକର ।