କନକ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ । ପ୍ରୋବା-୩ ସାଟେଲାଇଟର ସଫଳ ଉତକ୍ଷେପଣ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ । ଇସ୍ରୋର ସଫଳତାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ବିଶ୍ବ ଦେଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଦକ୍ଷତା । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହୋଇଛି ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ସଫଳତାର ସହ ଏହାକୁ ମହାଶୂନ୍ୟରେ ପହଞ୍ଚାଇଛି ଇସ୍ରୋର ଶକ୍ତିଶାଳୀ ରକେଟ ପିଏସଏଲଭି-ସି୫୯ । ଯାହା ଇସ୍ରୋ ଉପରେ ଥିବା ବିଶ୍ବର ବିଶ୍ବାସକୁ ଦର୍ଶାଉଛି ।
ବିଭିନ୍ନ ଦେଶର ସାଟେଲାଇଟକୁ ଉତକ୍ଷେପଣ କରିବାକୁ ଏବେ ଇସ୍ରୋ ପାଲଟିଛି ସବୁଠୁ ଭରସାଯୋଗ୍ୟ ସଂସ୍ଥା । ଅପରାହ୍ନ ୪ଟା ୧୨ରେ ପିଏସଏଲଭି ରକେଟକୁ ଲଞ୍ଚ କରାଯାଇଥିବା ବେଳେ ସଳତାର ସହ ସାଟେଲାଇଟକୁ ଏହାର କକ୍ଷପଥରେ ସ୍ଥାପନ କରିଛି । ସଫଳତାକୁ ନେଇ ପ୍ରୋବା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।
ସୂର୍ଯ୍ୟଙ୍କ ରହସ୍ୟର ହେବ ଉନ୍ମୋଚନ
ସୋଲାର କରୋନା ସମ୍ପର୍କରେ ମିଳିବ ତଥ୍ୟ
ସୂର୍ଯ୍ୟଙ୍କ ଚାରିପଟେ ଘୁରିବୁଲି ତଥ୍ୟ ସଂଗ୍ରହ କରିବ ପ୍ରୋବା-୩ ସାଟେଲାଇଟ । ସୂର୍ଯ୍ୟ ଚାରିପାଖ ଖୁବ୍ ଧୂଆଁଳିଆ ହୋଇଥିବାରୁ ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । ଏହା କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍ ମାଧ୍ୟମରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟଙ୍କ ଚାରିପଟେ ହାଇ-କୋରୋନା ଓ ଲୋ-କୋରୋନା ରହିଛି । ଅନେକ ସାଟେଲାଇଟ୍ ଏହାର ଅଧ୍ୟୟନ କରୁଛନ୍ତି । ଉଭୟ ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୩ ସାଟେଲାଇଟ୍। ଏହା ସୌର ପବନ ଓ କୋରୋନାଲ ମାସ୍ ଇଜେକ୍ସନ୍ର ମଧ୍ୟ ଅଧ୍ୟୟନ କରିବ । ଏହି ସାଟେଲାଇଟର ଓଜନ ରହିଛି ୩୧୦ କିଲୋଗ୍ରାମ । ୨୦୦୧ରେ ପ୍ରୋବା-୧ ଓ ୨୦୦୯ ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ ।